ମେ ୨୬ ରେ ଓଡ଼ିଶାରେ ବାତ୍ୟା ସମ୍ଭାବନା !

(ସତ୍ଯପାଠ ବ୍ଯୁରୋ) ଭୁବନେଶ୍ୱର : ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ମେ ୨୨ ତାରିଖରେ ସୃଷ୍ଟି ହେବାର ଆଶଙ୍କା ରହିଛି । ପରବର୍ତ୍ତୀ ୭୨ ଘଣ୍ଟା ମଧ୍ୟରେ ଅର୍ଥାତ୍ ୨୫ ତାରିଖ ସୁଦ୍ଧା ଏହା ଧୀରେ ଧୀରେ ଘନୀଭୂତ ହୋଇ ସାମୁଦ୍ରିକ ଝଡ ବା ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ତେବେ ଏଯାଏ ଏହାର ସ୍ଥିତି, ରୂପ କିମ୍ବା ବାତ୍ୟା ହେବ କି ନାହିଁ ସେନେଇ କୌଣସି ଅନୁମାନ କରାଯାଇ ନାହିଁ ବୋଲି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁଯାୟୀ ମେ ୨୧ ତାରିଖ ବେଳକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହୋଇ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ପହଞ୍ଚିବାର ସମ୍ଭାବନା ରହିଛି। ସମ୍ଭାବ୍ୟ ବାତ୍ୟା ଉତ୍ତର-ପଶ୍ଚିମ ଦିଗରେ ଗତି କରି ପଶ୍ଚିମବଙ୍ଗ- ଓଡିଶା ଉପକୂଳରେ ୨୬ ତାରିଖ ସନ୍ଧ୍ୟାରେ ପହଞ୍ଚିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୨୫ ତାରିଖ ସନ୍ଧ୍ୟାରୁ ଓଡ଼ିଶା ଉପକୂଳରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଆରମ୍ଭ ହୋଇପାରେ। ଏବଂ ପରବର୍ତ୍ତୀ ସମୟରେ ବର୍ଷାର ପରିମାଣ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ମେ ୨୩ ତାରିଖ ବେଳକୁ ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଘଣ୍ଟା ପ୍ରତି ପବନର ବେଗ ୪୫ରୁ ୫୫ କିଲୋମିଟର ରହିବାର ସମ୍ଭାବନା ରହିଛି । ୨୩ ତାରିଖ କିମ୍ବା ଏହାପରେ ପବନର ବେଗ ଘଣ୍ଟା ପ୍ରତି ୫୦ ରୁ ୬୦ କିଲୋମିଟର ଏବଂ ଝଟକା ପବନର ଘଣ୍ଟା ପ୍ରତି ବେଗ ୭୦ କିଲୋମିଟର ପାଖାପାଖି ରହିବାର ସମ୍ଭାବନା ରହିଛି । ମେ ୨୪ରୁ ୨୬ ତାରିଖ ମଧ୍ୟରେ କେନ୍ଦ୍ରୀୟ ବଙ୍ଗୋପସାଗର, ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ତଥା ଓଡିଶା-ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳରେ ପବନର ତୀବ୍ରତା ଆହୁରି ବଢିବାର ସମ୍ଭାବନା ରହିଛି । ସମ୍ଭାବ୍ୟ ବାତ୍ୟା କୁ ନଜରରେ ରଖି ସମୁଦ୍ରକୁ ଯାଇଥିବା ମତ୍ସ୍ୟଜୀବୀ ୨୩ ତାରିଖ ସକାଳ ପୂର୍ବରୁ କୂଳକୁ ଫେରି ଆସିବାକୁ ଏସଆରସି ଆହ୍ୱାନ ଦେଇଛନ୍ତି । ଉତ୍ତର ବଙ୍ଗୋପସାଗର ତଥା ଓଡିଶା ଉପକୂଳ ମଧ୍ୟକୁ ୨୫ ରୁ ୨୭ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ପ୍ରବେଶ ନକରିବାକୁ ମତ୍ସ୍ୟଜୀବୀ ମାନଙ୍କୁ ପରାମର୍ଶ ଦିଆଯାଇଛି ।

Related Posts