କରୋନାରୁ ସୁସ୍ଥ ହେବାର ୩ ମାସ ପରେ ନେଇ ପାରିବେ ଟିକା : କେନ୍ଦ୍ର ସରକାର

(ସତ୍ଯପାଠ ବ୍ଯୁରୋ) ଭୁବନେଶ୍ୱର : କରୋନାରେ ସଂକ୍ରମିତ ହୋଇଥିଲେ ସୁସ୍ଥ ହେବାର କେତେ ଦିନ ପରେ ନେଇପାରିବେ ଟିକା। ଆଜି ଏହାର ଉତ୍ତର ଦେଇଛନ୍ତି କେନ୍ଦ୍ର ସରକାର। ନ୍ୟାସନାଲ ଏକ୍ସପର୍ଟ ଗ୍ରୁପ୍‌ ଅନ୍‌ ଭାକ୍ସିନ ଆଡ୍‌ମିନିଷ୍ଟ୍ରେଶନ୍‌ (NEGVAC) ପକ୍ଷରୁ କରୋନା ଭାକ୍ସିନ ଟିକାକରଣ ନେଇ ଦିଆଯାଇଥିବା ପରାମର୍ଶ ଉପରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ମଞ୍ଜୁରୀ ପ୍ରଦାନ କରିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, କରୋନାରୁ ସୁସ୍ଥ ହେଉଥିବା ବ୍ୟକ୍ତି ୩ମାସ ପରେ ଟିକା ନେଇପାରିବେ । ସ୍ବାସ୍ଥ୍ୟ ବିଭାଗର ସୂଚନା ମୁତାବକ ଯଦି କୌଣସି ବ୍ୟକ୍ତି ଟିକାର ପ୍ରଥମ ଡୋଜ୍‌ ନେବା ପରେ କରୋନାରେ ଆକ୍ରାନ୍ତ ହୁଅନ୍ତି ତେବେ ସେ ଆରୋଗ୍ୟ ହେବାର ୩ ମାସ ପରେ ଦ୍ୱିତୀୟ ଡୋଜ ନେଇପାରିବେ। ଆଉ ଯଦି କୌଣସି ବ୍ୟକ୍ତି ଗୁରୁତର ଅବସ୍ଥାରେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି, ତେବେ ସେ ସୁସ୍ଥ ହେବାର ୪ ରୁ ୮ ସପ୍ତାହ ପରେ ଟିକା ନେଇପାରିବେ। ଆଉ ଟିକା ନେବାର ୧୪ ଦିନ ପରେ ଜଣେ ରକ୍ତ ଦାନ କରିପାରିବେ। ରକ୍ତ ଦାନ କରିବା ପୂର୍ବରୁ ଆରଟିପିସିଆର ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ। ଏହା ସହ ସ୍ତନ୍ୟପାନ କରାଉଥିବା ମହିଳା ମାନେ କୋଭିଡ୍ ଟିକା ନେଇପାରିବେ ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି । ଅପରପକ୍ଷେ ଗର୍ଭବତୀଙ୍କୁ ଟିକାକରଣକୁ କେନ୍ଦ୍ର ସରକାର ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇ ନାହାନ୍ତି।

Related Posts