ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଅସହ୍ୟ ଗରମରେ ଅସ୍ତବ୍ୟସ୍ତ ଜନଜୀବନ । ଦିନର ତାପମାତ୍ରା 42 ଡିଗ୍ରୀ ଉପରେ ରହୁଥିବା ବେଳେ, ଶୁକ୍ରବାର ଓ ଶନିବାର ଏହିପରି ଗ୍ରୀଷ୍ମ ପ୍ରଭାବ ଜାରି ରହିବ।
ତେବେ କିନ୍ତୁ ଆସନ୍ତା ୩ ଓ ୪ ତାରିଖରେ ରାଜ୍ୟରେ ବର୍ଷାହେବାର ସମ୍ଭାବନା ରହିଛି । ବର୍ଷା ଯୋଗୁ ତାତିରୁ ଆଶ୍ୱସ୍ତି ମିଳିବ । କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ରାୟଗଡ଼ା ଓ ଗଜପତି ଜିଲ୍ଲା ସମେତ ଉତ୍ତର ଉପକୂଳ ଓଡ଼ିଶାରେ ଏହି ଦୁଇ ଦିନ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆସନ୍ତା ୩ଦିନ ପରେ ରାଜ୍ୟର ତାପମାତ୍ରା ୨ ଡିଗ୍ରୀ କମିବ ବୋଲି ଆକଳନ କରାଯାଇଛି ।
ରାଜ୍ୟର ୮ଟି ଜିଲ୍ଲାର ତାପମାତ୍ରା ଏବେ ୪୦ ଡିଗ୍ରୀ ଉପରେ ରହିଛି । ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା ୪୨.୨ ଡିଗ୍ରୀ ରେକର୍ଡ ହୋଇଛି । ଝାରସୁଗୁଡ଼ାରେ ୪୧.୨, ଭବାନୀପାଟଣାରେ ୪୧.୨, ବଲାଙ୍ଗୀରରେ ୪୧.୨, ବୌଦ୍ଧରେ ୪୧, ସମ୍ବଲପୁରରେ ୪୦.୧ ଓ ସୁନ୍ଦରଗଡ଼ରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଭୁବନେଶ୍ୱର ସମେତ ପୁରୀ, କଟକ, ପାରାଦୀପ, ବାଲେଶ୍ୱର ଓ ଗୋପାଳପୁରରେ ଦିନବେଳାର ତାପମାତ୍ରା ଅପେକ୍ଷାକୃତ କମ୍ ଥିଲା । ସେହିଭଳି ଫୁଲବାଣୀରେ ରାତିବେଳା ସର୍ବନିମ୍ନ ତାପମାତ୍ରା ମାତ୍ର ୧୯.୫ ଡିଗ୍ରୀ ରେକର୍ଡ ହୋଇଛି ।
ଆସନ୍ତା ଦୁଇ ଦିନ ରାଜ୍ୟରେ ଗ୍ରୀଷ୍ମ ଲହରୀ ଜାରି ରହିବ । ଶୁକ୍ରବାର ଓ ଶନିବାର ବଲାଙ୍ଗୀର, ସୋନପୁର, ବରଗଡ଼, ବୌଦ୍ଧ ଓ କଳାହାଣ୍ଡି ଜିଲ୍ଲାରେ ଗ୍ରୀଷ୍ମ ଲହରୀ ବହିବାର ଆଶଙ୍କା ଅଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।