ଚଣ୍ଡିଗଡ଼: ପଞ୍ଜାବର ଚଣ୍ଡିଗଡ଼ ଅନ୍ତର୍ଜାତୀୟ ବିମାନ ବନ୍ଦରର ନାଁ ପରିବର୍ତନ ହେବ । ସ୍ୱାଧୀନତା ସଂଗ୍ରାମୀ ସହିଦ ଭଗତ ସିଂହ ନାଁରେ ନାମିତ କରାଯିବ ଏହି ବିମାନବନ୍ଦର ନାଁ । ଏନେଇ ଘୋଷଣା କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ। ଏନେଇ ମାନ ଓ ହରିୟାଣା ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌତାଲା ମଧ୍ୟରେ ଏକ ବୈଠକ ହୋଇଥିଲା। ବୈଠକରେ ସହମତିକ୍ରମେ ନିଷ୍ପତ୍ତି ହୋଇଛି।

ଶ୍ରୀ ମାନ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ସେ ଟ୍ୱିଟ୍‌ରେ ଲେଖିଛନ୍ତି ” ଚଣ୍ଡିଗଡ଼ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରର ନାଁ ସହୀଦ ଭଗତ ସିଂହଙ୍କ ନାଁରେ ନାମିତ ହେବ। ଏହା ଉପରେ ଉଭୟ ପଞ୍ଜାବ ଓ ହରିଆଣା ସରକାର ସହମତି ପ୍ରକାଶ କରିଛନ୍ତି।

ହରିୟାଣା ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌତାଲାଙ୍କ ସହ ଏ ବିଷୟରେ ବୈଠକ କଲି।“

ତେବେ ବୈଠକରେ ଏନେଇ ନିଷ୍ପତ୍ତି ହୋଇଥିଲେ ବି ବିମାନବନ୍ଦର ନୂଆ ନାମକରଣ କେବେ ହେବ ସେ ନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ନୂଆ ନାମକରଣ ହେଲେ ଚଣ୍ଡିଗଡ଼ ଅନ୍ତର୍ଜାତୀୟ ବିମାନ ବନ୍ଦରରକୁ ଲୋକେ ସହିଦ ଭଗନ୍ତ ସିଂହ ବିମାନବନ୍ଦର ବୋଲି ଜାଣିବେ।