
ଚଣ୍ଡୀଗଡ଼: ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟର ହଷ୍ଟେଲରେ ଛାତ୍ରୀଙ୍କ ଅଶ୍ଲୀଳ ଭିଡିଓ ଲିକ୍ ମାମଲାରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ଯୁବତୀଙ୍କୁ ଜଣେ ଯୁବକ ବ୍ଲାକମେଲ କରୁଥିଲେ। ଏଥି ସହ ଏହି ମାମଲାରେ ଗିରଫ ହୋଇଥିବା ଯୁବତୀ ଏବଂ ଅନ୍ୟ ଦୁଇ ଯୁବକଙ୍କୁ ୭ଦିନିଆ ପୁଲିସ ରିମାଣ୍ଡରେ ପଠାଯାଇଛି। ଫୋରେନସିକ୍ ଯାଞ୍ଚ ପାଇଁ ଅଭିଯୁକ୍ତଙ୍କ ମୋବାଇଲ୍ ଫୋନ୍ ପଠାଯାଇଥିବା ବେଳେ ଏହି ମୋବାଇଲରୁ ମୋଟ ଦୁଇଟି ଭିଡିଓ ମିଳିଥିବା କୁହାଯାଉଛି। ଦୁଇଟି ଭିଡିଓ ମଧ୍ୟରୁ ଜଣେ ଅଭିଯୁକ୍ତ ଯୁବତୀର ହୋଇଥିବା ବେଳେ ଅନ୍ୟଟି ଆଉ ଜଣେ ଯୁବତୀର ବୋଲି ସାମ୍ନାକୁ ଆସିଛି।
ତେବେ ଏହାପୂର୍ବରୁ ଅଶ୍ଲୀଳ ଭିଡିଓ ଲିକ୍ ମାମଲାରେ ତିନି ଅଭିଯୁକ୍ତଙ୍କୁ ଗିରଫ ପରେ ମୋହାଲିର ଖରାର କୋର୍ଟରେ ହାଜର କରାଯାଇଥିଲା। ଏଥିମଧ୍ୟରୁ ଗତକାଲି ଅଭିଯୁକ୍ତ ଯୁବତୀକୁ ପ୍ରଥମେ ଗିରଫ କରାଯାଇଥିଲା। ଏହା ପରେ ଯୁବତୀର ପ୍ରେମିକା ସନ୍ନି ମେହେତାଙ୍କୁ ଶିମଲା ପୁଲିସ ଗିରଫ କରିଥିଲା। ଏଥି ସହ ରବିବାର ବିଳମ୍ବିତ ରାତିରେ ଶିମଲାର ଢ଼ଲି ପୁଲିସ ଷ୍ଟେସନ ଅଞ୍ଚଳରୁ ଏହି ମାମଲାର ତୃତୀୟ ଅଭିଯୁକ୍ତକୁ ଗିରଫ କରାଯାଇଥିଲା। ତୃତୀୟ ବ୍ୟକ୍ତିଜଣକ ୩୧ବର୍ଷ ବୟସ୍କ ଯୁବକ ବୋଲି ଜଣାପଡ଼ିଛି।
ଅନ୍ୟପକ୍ଷରେ, ଚଣ୍ଡୀଗଡ଼ ବିଶ୍ବବିଦ୍ୟାଳର ‘ଗାର୍ଲସ୍ ହଷ୍ଟେଲ୍’ ଭିଡିଓ ଲିକ୍ ଘଟଣାର ତଦନ୍ତ ପାଇଁ ପଞ୍ଜାବ ସରକାର ଆଜି ୩ଜଣିଆ ସଦସ୍ୟବିଶିଷ୍ଟ ‘ସ୍ପେସାଲ୍ ଇନ୍ଭେଷ୍ଟିଭେସନ୍ ଟିମ୍’ (ଏସ୍ଆଇଟି) ଗଠନ କରିବାକୁ ଆଦେଶ ଦେଇଛନ୍ତି