
ପୁରୀ: ଆସନ୍ତା ଜୁଲାଇ ୧ରେ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଏନେଇ ଏବେ ଠୁ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର ପୁରୀ । ସେପଟେ ଜୋର୍ ସୋର୍ ରେ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ । ତିନି ରଥର ୪୨ଟି ଚକ ମଧ୍ୟରୁ ୩୯ଟି ଚକ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି।
ସେହିପରି ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ ଅବସରରେ ତିନି ରଥର ଛଅଟି ଚକ ସହ ତିନୋଟି ଅଖ ଡେରା କାର୍ଯ୍ୟ ସରିଥିବା ବେଳେ ଆଗାମୀ ଶୀତଳ ଷଷ୍ଠୀ ପରଦିନ ସମସ୍ତ ଚକ ଅଖ ଡେରାଯିବ।
ତେବେ ସୋମବାର ରଥଖଳା ଆସି ରଥ ନିର୍ମାଣ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି ଛଅ ଜଣିଆ ବିଶେଷଜ୍ଞ ଟିମ୍। ବିଶ୍ଵକର୍ମା ମହାରଣାଙ୍କ ଦ୍ଵାରା ନିର୍ମାଣ ହୋଇଥିବା ସମସ୍ତ ଚକ ଓ ଅଖ ଗୁଡିକର ଅନୁଧ୍ୟାନ କରିଛନ୍ତି ବିଶେଷଜ୍ଞ ଟିମ୍ ର ଅଧ୍ୟକ୍ଷ ଏନ.ସି.ପାଲ୍। କଞ୍ଚା କାଠ ଓ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ଚକରେ ଫାଟ ସୃଷ୍ଟି ହୋଇଥିବା ବେଳେ ଏହାକୁ ନଟବୋଲ୍ଟ ଓ କ୍ଲାମ୍ପ ଫିଟିଙ୍ଗ କରାଯାଇ ମରାମତି କରାଯିବ। ତେଣୁ ରଥଯାତ୍ରା ସମୟରେ ଏହା କୈାଣସି ସମସ୍ୟା ସୃଷ୍ଟି କରିବ ନାହିଁ ବୋଲି କହିଛନ୍ତି ବିଶେଷଜ୍ଞ ଟିମର ଅଧ୍ୟକ୍ଷ ଏନ୍ ସି ପାଲ୍।
ସେହିପରି ଆଜି ଏହି ଟିମ୍ ଗୁଣ୍ଡିଚା ମନ୍ଦିର ଯାଇ ସେଠାରେ ମଧ୍ୟ ସମସ୍ତ ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି ।
ଅନ୍ୟପଟେ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥା କୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।