ହେତୁବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଛତିଶା ନିଯୋଗ ନାୟକ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମୁଖ୍ୟମନ୍ତ୍ରୀଙ୍କୁ ଛତିଶା ନିଯୋଗ ନାୟକଙ୍କ ଚିଠି । ହେତୁବାଦ ନାମରେ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଓ ହିନ୍ଦୁ ଧର୍ମୀୟ ଭାବନା ତଥା ଆସ୍ଥାକୁ ବିରୋଧ କରାଯାଇଥିବା ଅଭିଯୋଗ କରିଛନ୍ତି । ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କୁ ଏହି ଚିଠି ଲେଖି ହେତୁବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ସେ ଚିଠିରେ ଲେଖିଛନ୍ତି ଯେ, ଗତ ରାହୁଗ୍ରସ୍ତ ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ ଦିନ କିଛି ବ୍ୟକ୍ତି ଶହ ଶହ ବର୍ଷର ଚିରାଚରିତ ପ୍ରଥା ଓ ପରମ୍ପରାକୁ ବିରୋଧ କରି କୋଟି କୋଟି ହିନ୍ଦୁଙ୍କ ଧାର୍ମିକ ଭାବନା ଓ ବିଶ୍ୱାସକୁ କୁଠାରଘାତ କରିଛନ୍ତି। ତଥାକଥିତ ହେତୁବାଦୀମାନେ ଏହା ପରେ ପୁରୁଷୋତ୍ତମ ଶ୍ରୀରାମ ଓ ଲକ୍ଷ୍ମଣଙ୍କ ଚରିତ୍ର ସଂହାର କରି ବୟାନ ଦେଇଛନ୍ତି। ଶ୍ରୀଜଗନ୍ନାଥଙ୍କୁ ଭାତ ଏବଂ ଚିକେନ୍ ଭୋଗ ଲଗେଇବାକୁ କହି ସେମାନେ ଔଦ୍ଧତ୍ୟର ସମସ୍ତ ସୀମା ଲଂଘନ କରିଛନ୍ତି। ହେତୁବାଦୀମାନେ ସେମାନଙ୍କର ବିଶ୍ୱାସକୁ ନେଇ ବଞ୍ଚିବା ତାଙ୍କର ଅଧିକାର। କିନ୍ତୁ କୋଟି କୋଟି ହିନ୍ଦୁଙ୍କର ବିଶ୍ୱାସ ଓ ଆସ୍ଥାକୁ ବିରୋଧ କରିବାର ଅଧିକାର ସେମାନଙ୍କର ନାହିଁ ବୋଲି ଅଭିଯୋଗ ହୋଇଛି।

ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ତୁରନ୍ତ ହେତୁବାଦୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି। ନ ହେଲେ ଆଗାମୀ ଦିନରେ ଏହାକୁ ନେଇ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଥିବା ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର ସରକାରଙ୍କୁ ଚେତାଇ ଦେଇଛନ୍ତି।

Related Posts