ଆଜି ନୀଳକନ୍ଦରକୁ ଫେରିଯିବେ ଚତୁର୍ଦ୍ଧାମୂରତି

ପୁରୀ : ଶାନ୍ତି ଶୃଙ୍ଖଳା ମଧ୍ୟରେ ଶେଷ ହେଲା ଘୋଷଯାତ୍ରା। ଆଜି ଘୋଷଯାତ୍ରାର ଶେଷ ପର୍ବ ନୀଳାଦ୍ରି ବିଜେ । ଆଜି ନୀଳକନ୍ଦରକୁ ଫେରିଯିବେ ଚତୁର୍ଦ୍ଧାମୂରତି । ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତି ପୁଣି ଗୋଟି ପହଣ୍ଡିରେ ଶ୍ରୀମନ୍ଦିର ରତ୍ନମଣ୍ଡପକୁ ବିଜେ କରିବେ। ଏତେ ଦିନ ଧରି ମାନ କରି ରହିଥିବା ମା’ ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ରସଗୋଲା ଦେଇ ସ୍ବୟଂ ବିଶ୍ବନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥ ମାନଭଞ୍ଜନ କରିବେ।

ଭାଇ ଓ ଭଉଣୀଙ୍କୁ ସାଥିରେ ନେଇଥିବା ବେଳେ, ତାଙ୍କୁ ନେଇନଥିଲେ , ଯାହାକୁ ନେଇ ଅଭିମାନ କରିଛନ୍ତି ମା ଲକ୍ଷ୍ମୀ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ସୋମବାର ବିଳମ୍ୱିତ ରାତିରେ ଅଧର ନୀତି ଶେଷ ପରେ ଆଜି ନୀତି ଆରମ୍ଭ ହେବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରିଛି।

ସେପଟେ ଶ୍ରୀକ୍ଷେତ୍ରରେ ରଥ ଉପରେ ୩ ଦିଅଁଙ୍କ ଅଧରପଣା ନୀତି ସମ୍ପନ୍ନ ହୋଇଛି । ରାଘବଦାସ ମଠ, ଓଡ଼ିଆ ମଠ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗୋଟିଏ ଲେଖାଏଁ କରି ୩ ରଥ ଉପରେ ଅଧରପଣା ବ୍ୟବସ୍ଥା କରାଯାଇଥିଲା। ଠାକୁରଙ୍କ ଅଧରକୁ ପାଇବା ଭଳି ଉଚ୍ଚ ଥିବା ତୁମ୍ବ ବା ମାଟି ହାଣ୍ଡିରେ ପଣା ଢଳାଯାଇ ଭୋଗ କରାଯାଇଥିଲା। ସାଚି, ଛେନା, କଦଳୀ, କ୍ଷୀର, ସର, ଗୋଲମରିଚ , କର୍ପୁର, ଜାଇଫଳ, କଦଳୀ ଇତ୍ୟାଦି ଦ୍ରବ୍ୟରେ ପଣା ପ୍ରସ୍ତୁତ ହୋଇଥିଲା। ସିଂହଦ୍ବାର ସମ୍ମୁଖ ଛାଉଣୀମଠର କୂଅରୁ ପାଣିଆ ଆପଟ ସେବକମାନେ ପଣା ପାଇଁ ପାଣି ଯୋଗାଇ ଥିଲେ । ପରେ ପତ୍ରିବଡୁ, ସୁଆର ବଡ଼ୁ, ଗରାବଡୁ ସେବକ ୩ ରଥରେ ପଣା ପ୍ରସ୍ତୁତ କରିଥିଲେ । ମଧ୍ୟାହ୍ନ ଧୂପ ପରେ ପୂଜାପଣ୍ଡାମାନେ ପଞ୍ଚ ଉପଚାରରେ ପଣା ପୂଜା କରିଥିଲେ । ଭୋଗ ପରେ ରଥ ଉପରେ ପଣା ହାଣ୍ଡି ଭଙ୍ଗା ଯାଇଥିଲା। ରଥଯାତ୍ରା ସମୟରେ ଶ୍ରୀଜୀଉମାନଙ୍କ ରଥ ସହିତ ବହୁ ଦେବାଦେବୀ, ଚଣ୍ଡି, ଚାମୁଣ୍ଡା ମଧ୍ୟ ଯାତ୍ରା କରିଥାନ୍ତି। ତେବେ ସେମାନଙ୍କ ସନ୍ତୁଷ୍ଟି ନିମନ୍ତେ ଏହି ପଣା ମହାପ୍ରଭୁଙ୍କୁ ସମର୍ପଣ ପରେ ,ରଥରେ ରହିଥିବା ସମସ୍ତ ଅଶରୀରିଙ୍କୁ ଅର୍ପଣ ନିମନ୍ତେ ଭଙ୍ଗାଯାଇଥାଏ ।

Related Posts