ଶ୍ରୀକ୍ଷେତ୍ରରେ ସ୍ନାନପୂର୍ଣ୍ଣିମା ପରେ ଚତୁର୍ଦ୍ଦାମୂର୍ତ୍ତି ଏବେ ଅଣସର ଘରେ। ମହାପ୍ରଭୁଙ୍କ ଗୁପ୍ତସେବା ଚାଲିଥିବାବେଳେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଅଲାରନାଥ। ପୁରୀ ଜିଲ୍ଲା ବ୍ରହ୍ମଗିରିସ୍ଥିତ ଅଲାରନାଥ ପୀଠରେ ଅନବସର ଦର୍ଶନ ଆରମ୍ଭ ହୋଇଯାଇଛି। ୧୦୮ କଳସରେ ମହାସ୍ନାନ ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଅଣସର ପିଣ୍ଡିରେ ଗୁପ୍ତସେବାରେ ଥିବାବେଳେ ଭକ୍ତମାନେ ବ୍ରହ୍ମଗିରିରେ ଅଲାରନାଥଙ୍କୁ ଦର୍ଶନ କରିଥାନ୍ତି । ଭୋର ୪ଟାରୁ ଦ୍ବାର ଫିଟାଯିବା ପରେ ମନ୍ଦିରର ସମସ୍ତ ନୀତିକାନ୍ତି ସରିବା ପରେ ଶ୍ରୀଜୀଉ ସର୍ବସାଧାରଣଙ୍କୁ ଦର୍ଶନ ଦେଇଛନ୍ତି ।
ଅଲାରନାଥଙ୍କୁ ନେଇ ଆହୁରି ଏକ ପୌରାଣିକ ବିଷୟବସ୍ତୁ ରହିଛି । ସତ୍ୟଯୁଗ ସମୟର କଥା, ଏକଦା ସୃଷ୍ଟିକର୍ତ୍ତା ବ୍ରହ୍ମା ଭଗବାନ୍ ବିଷ୍ଣୁଙ୍କ ଦର୍ଶନ ଲାଭ କରିବା ଲାଗି ଘୋର ତପସ୍ୟା କଲେ । ବ୍ରହ୍ମାଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ଭଗବାନ୍ ବିଷ୍ଣୁ ଚତୁର୍ଭୁଜ ରୂପ ଧାରଣ କରି ତାଙ୍କ ସମ୍ମୁଖରେ ପ୍ରକଟ ହେଲେ ଓ କହିଲେ ମୁଁ ତୁମ ତପସ୍ୟାରେ ସନ୍ତୁଷ୍ଟ । ତୁମେ ମୋର ଏକ ଚତୁର୍ଭୁଜ ମୂର୍ତ୍ତି ନିର୍ମାଣ କରି ଏଠାରେ ପୂଜାର୍ଚ୍ଚନା କର । ଭଗବାନଙ୍କ ଆଜ୍ଞା ପାଳନ କରି ବ୍ରହ୍ମା କଳା ମୁଗୁନି ପଥରରେ ବିଷ୍ଣୁଙ୍କ ଚଳନ୍ତି ପ୍ରତିମା ନିର୍ମାଣ କରି ସେଠାରେ ପୂଜାର୍ଚ୍ଚନା କଲେ । ସେହି ପ୍ରତିମୂର୍ତ୍ତି ସମ୍ପ୍ରତ୍ତି ଅଲାରନାଥ ନାମରେ ସର୍ବତ୍ର ବିଖ୍ୟାତ । ଯେଉଁ ପର୍ବତ ଉପରେ ସେ ତପସ୍ୟା କଲେ ସେହି ସ୍ଥାନଟି ପରବର୍ତ୍ତୀ କାଳରେ ବ୍ରହ୍ମଗିରି ନାମରେ ବିଖ୍ୟାତ ହେଲା । ପରବର୍ତ୍ତୀ ସମୟରେ ସେହି ଅଞ୍ଚଳକୁ ବ୍ରହ୍ମଗିରି ବୋଲି କୁହାଗଲା । ସେହିପରି ଆଉ ଏକ ପୌରାଣିକ କଥା ଯେ, ରାଜା ଇନ୍ଦ୍ରଦ୍ୟୁମ୍ନ ରାଜତ୍ୱ କାଳରେ ସୃଷ୍ଟିକର୍ତ୍ତା ବ୍ରହ୍ମା ଶ୍ରୀମନ୍ଦିର ପ୍ରତିଷ୍ଠା ଲାଗି ମର୍ତ୍ତ୍ୟଭୂମିକୁ ଆସିଥିଲେ । ସେ ପ୍ରଥମେ ଯେଉଁ ସ୍ଥାନରେ ମର୍ତ୍ତ୍ୟଭୂମିକୁ ଓହ୍ଲାଇଲେ ସେହି ସ୍ଥାନକୁ ପରବର୍ତ୍ତୀ ସମୟରେ ବ୍ରହ୍ମଗିରି ବୋଲି କୁହାଗଲା । ସୃଷ୍ଟିକର୍ତ୍ତା ମର୍ତ୍ତ୍ୟଭୂମିରେ ପାଦ ଦେବା ପରେ ବିଷ୍ଣୁଙ୍କ ପୂଜା କରିଥିଲେ । ଯେଉଁଠାରେ ସେ ବିଷ୍ଣୁଙ୍କ ପୂଜା କରିଥିଲେ ପରବର୍ତ୍ତୀ ସମୟରେ ତାହା ଅଲାରନାଥ ନାମରେ ଖ୍ୟାତି ଅର୍ଜନ କଲା ।
