ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ପଦରୁ ଚେତନ ଶର୍ମାଙ୍କ ଇସ୍ତଫା; ଷ୍ଟିଙ୍ଗ୍ ଅପରେସନରେ ଖୋଲିଥିଲେ ଟିମ୍ ଇଣ୍ଡିଆର ଗୁମର

ଭୁବନେଶ୍ୱର,୧୭/୨(ସତ୍ୟପାଠ ବ୍ୟୁରୋ): ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମାଙ୍କ ଇସ୍ତଫା । ନିଜ ପଦରୁ ଇସ୍ତଫା ଦେଲେ ଚେତନ ଶର୍ମା । ବିସିସିଆଇ ସମ୍ପାଦକ ଜୟ ଶାହାଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଥିଲେ ଚେତନ । ଯାହାକୁ ବିସିସିଆଇ ସମ୍ପାଦକ ଗ୍ରହଣ କରିଛନ୍ତି । ତେବେ ନିକଟରେ ଏକ ଜାତୀୟ ଗଣମାଧ୍ୟମର ଷ୍ଟିଙ୍ଗ ଅପରେସନରେ ଫସିଥିଲେ ବିସିସିଆଇ ଚୟନ କମିଟି ମୁଖ୍ୟ ଚେତନ ଶର୍ମା।

ଏହି ଷ୍ଟିଙ୍ଗ ଅପରେସନରେ ଟିମ୍ ଇଣ୍ଡିଆରେ ସବୁ ଠିକ୍ ଚାଲିନଥିବା ନେଇ ସେ ଖୁଲାସା କରିଥିଲେ ।ଯାହାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଖେଳାଳିଙ୍କ ଫିଟନେସ୍‌ଠାରୁ ଆରମ୍ଭ କରି ଟିମ୍‌ ଚୟନ ପୁଣି ଅଧିନାୟକ ଓ କୋଚଙ୍କ ଭିତରେ ମନୋମାଳିନ୍ୟର ବହୁ ଗୁମର ଫିଟାଇଥିଲେ ଚେତନ ଶର୍ମା । ସେ କହିଥିଲେ, ଭାରତୀୟ କ୍ରିକେଟର ନିଜକୁ ଫିଟ୍‌ ରଖିବା ପାଇଁ ଇଞ୍ଜେକସନ୍‌ ନିଅନ୍ତି । ଖେଳାଳି ଚୟନ ପୂର୍ବରୁ ୮୦-୮୫ ପ୍ରତିଶତ ଫିଟ୍‌ ଥିଲେ ବି ନିଜକୁ ସଂପୂର୍ଣ୍ଣ ଫିଟ୍ ପ୍ରମାଣିତ କରିବା ପାଇଁ ଇଞ୍ଜେକସନ୍‌ ନେଇଥାନ୍ତି । ତାରକା ଖେଳାଳି ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନଥିଲେ ବି ଏନସିଏ ସେମାନଙ୍କୁ ଗ୍ରୀନ୍‌ ସିଗନାଲ୍‌ ଦେଇଥାଏ । ଏହାପରେ ଚୂଡ଼ାନ୍ତ ନିଷ୍ପତ୍ତି ଚୟନକର୍ତ୍ତାଙ୍କ ଉପରେ ଛାଡ଼ି ଦିଆଯାଇଥାଏ ବୋଲି କହିଥିଲେ ଚେତନ ଶର୍ମା ।

ସେହିପରି ସେ ବିରାଟ କୋହଲି, ରୋହିତ ଶର୍ମା ଓ ପୂର୍ବତନ ବିସିସିଆଇ ମୁଖ୍ୟ ସୌରଭ ଗାଙ୍ଗୁଲିଙ୍କ ଉପରେ ବି ମତ ରଖିଥିଲେ। ଚେତନ କହିଥିଲେ ଯେ, ୨୦୨୧ ଟି-୨୦ ବିଶ୍ୱକପ୍‌ ପୂର୍ବରୁ କୋହଲି ଦଳର ନେତୃତ୍ୱ ଛାଡିବା ପାଇଁ ଚାହିଁଥିଲେ । ଏବେ ବି ଦଳ କୋହଲିଙ୍କ କଥାରେ ଚାଲୁଛି । ରୋହିତ ଅଧିନାୟକ ଥିବା ସତ୍ତ୍ୱେ ସବୁ ନିଷ୍ପତ୍ତି କୋହଲି ନେଉଥିବା କହିଛନ୍ତି ଚେତନ ଶର୍ମା । ରୋହିତ ଓ କୋହଲିଙ୍କ ଭିତରେ କୌଣସି ବିବାଦ ନାହିଁ । କିନ୍ତୁ ପରସ୍ପର ପ୍ରତି ଇର୍ଷା ଓ ଅହଙ୍କାର ଭାବ ରହିଛି । ସେ ଆହୁରି କହିଥିଲେ, କୋହଲି ଓ ଗାଙ୍ଗୁଲି ଙ୍କ ଭିତରେ ଇର୍ଷା ଯୋଗୁ ଫାଟ ସୃଷ୍ଟି ହୋଇଥିଲା । ତେଚନ ଶର୍ମାଙ୍କ ଷ୍ଟିଙ୍ଗ ଅପରେସନର ଖୁଲାସା ହେବା ପରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା ଓ କାଠଗଡ଼ାକୁ ଟଣା ହୋଇଥିଲା ଭାରତୀୟ କ୍ରିକେଟ ବୋର୍ଡ ।

Related Posts