ଶୁଖିଲା ମହାନଦୀ, କଲମାର ସବୁ ଗେଟ୍ ବନ୍ଦ କଲା ଛତିଶଗଡ

ସମ୍ବଲପୁର: ମହାବିପଦର ମହାନଦୀ | ଛତିଶଗଡର ମନମାନୀ ପାଇଁ ଏବେ ମହାନଦୀ ଘୋର ବିପଦର ସାମ୍ନାକୁ କରିବାକୁ ଯାଉଛି | ମରିବାକୁ ବସିଛି ମହାନଦୀ | ଚଳିତ ବର୍ଷ ବର୍ଷା କମ ସାଙ୍ଗକୁ ଅଣମୌସୁମୀ ସମୟରେ ଛତିଶଗଡ଼ କଲମାର ସବୁ ଗେଟ ବନ୍ଦ କରିଦେଇଛି । ବର୍ତ୍ତମାନ ଉପରମୁଣ୍ଡରୁ ହୀରାକୁଦ ଜଳଭଣ୍ଡାରକୁ ମୁନ୍ଦାଏ ବି ପାଣି ଆସୁନି । ଯାହା ଆଗକୁ ମହାବିପଦର ସାମ୍ନା କରିବ ମହାନଦୀ ।

ଖବର ଅନୁଯାୟୀ, ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ରହିଛି ୬୧୮.୦୮ ଫୁଟ । ଯାହା ୨୦୨୦ରେ ଆଜିର ଦିନରେ ୬୨୨.୮୯ ଫୁଟ ରହିଥିଲା । ଚଳିତ ବର୍ଷ ବର୍ଷା କମ ସାଙ୍ଗକୁ ଅଣମୌସୁମୀ ସମୟରେ ଗେଟ୍ ବନ୍ଦ କରିବା ଛତିଶଗଡର ମନମାନି ବୋଲି କୁହାଯାଇପାରେ। ଆଜିର ଦିନରେ ଜଳଭଣ୍ଡାରକୁ ଜଳପ୍ରବେଶ ନଥିବା ବେ‌ଳେ ଜଳସେଚନ ଓ ବିଦ୍ୟୁତ ଉତ୍ପାଦନ ପାଇଁ ୧୬୪୭୬ କ୍ୟୁସେକ ଜଳ ପ୍ରତି ସେକେଣ୍ଡରେ ନିଷ୍କାସିତ ହେଉଛି । ତେବେ ଏପ୍ରିଲରୁ ଯଦି ଏଭଳି ସ୍ଥିତି ଉତ୍ପନ୍ନ ହେଲାଣି ତେବେ ଆଗକୁ କଣ ହେବ ସ୍ଥିତି, ତାହା ଜଳ ଜଳ ହୋଇ ଦିଶିଲାଣି ।

ଅନ୍ୟ ପକ୍ଷରେ ଗତ ଜାନୁଆରୀ ମାସରେ ୦.୩୩୨ ମିଲିୟନ ଏକର ଫୁଟ ଜଳ ହୀରାକୁଦ ଜଜ ଭଣ୍ଡାରକୁ ଆସିଥିବାବେଳେ ଫେବୃଆରୀ ମାସରେ ତାହା କମି ୦.୧୬୪ ମିଲିୟନ ଫୁଟ ହୋଇଛି । ମାର୍ଚ୍ଚରେ ତାହା ପୁଣି କମିଆସି ୦.୧୧୩ ମିଲିୟନ ଏକର ଫୁଟ୍ ରେ ପହିଂଚିଛି । ତେବେ ଆଗକୁ ଯଦି ଛତିଶଗଡ଼ ଏହିପରି ଭାବରେ ମନମାନୀ ଚଲାଇବ ତେବେ ଆଗକୁ ସ୍ଥିତି ଆହୁରି ସଂଘିନ ହୋଇ ପଡିବ |

Related Posts