ବରିଷ୍ଠ ବୈଦେଶିକ ସେବା ଅଧିକାରୀ ବିନୟ ମୋହନ କ୍ବାତ୍ରା ହେବେ ନୂତନ ବୈଦେଶିକ ସଚିବ

ନୂଆଦିଲ୍ଲୀ: ଭାରତର ପରବର୍ତ୍ତୀ ବୈଦେଶିକ ସଚିବ ହେବେ ବିନୟ ମୋହନ କ୍ବାତ୍ରା । କେନ୍ଦ୍ର ସରକାରଙ୍କ ପକ୍ଷରୁ ବରିଷ୍ଠ ବୈଦେଶିକ ସେବା (IFS) ଅଧିକାରୀ ବିନୟ ମୋହନ କ୍ବାତ୍ରାଙ୍କୁ ନିଯୁକ୍ତି ଦିଆଯାଇଛି । ଆଜି ଏନେଇ ବିଜ୍ଞପ୍ତି ଜାରି କରାଯାଇ ସୂଚନା ଦିଆଯାଇଛି । ବର୍ତ୍ତମାନ ନେପାଳରେ ଭାରତର ରାଷ୍ଟ୍ରଦୂତ ଭାବେ ପ୍ରତିନିଧିତ୍ବ କରୁଥିବା କ୍ବାତ୍ରା ଆସନ୍ତାମାସ ଆରମ୍ଭ ସୁଦ୍ଧା ଦିଲ୍ଲୀ ଫେରି ଏହି ନୂଆ ଦାୟିତ୍ବ ଗ୍ରହଣ କରିବେ ।

ବର୍ତ୍ତମାନର ବୈଦେଶିକ ସଚିବ ଡ.ହର୍ଷବର୍ଦ୍ଧନ ଶ୍ରୀଙ୍ଗଲାଙ୍କ କାର୍ଯ୍ୟକାଳ ଚଳିତମାସ (April 30) ଶେଷରେ ହେଉଥିବା ବେଳେ ତାଙ୍କ ସ୍ଥାନରେ ଏହି ଦାୟିତ୍ବ ଗ୍ରହଣ କରିବେ ବିନୟ । କ୍ୟାବିନେଟ ନିଯୁକ୍ତି କମିଟି କ୍ବାତ୍ରାଙ୍କୁ ପରବର୍ତ୍ତୀ ବୈଦେଶିକ ସଚିବ ଭାବେ ଚୟନ କରିବା ପରେ ବିଧିବଦ୍ଧ ଭାବେ ସରକାର ବିଜ୍ଞପ୍ତିରେ ତାଙ୍କ ନାମ ଘୋଷଣା କରାଯାଇଛି ।

କ୍ବାତ୍ରା ହେଉଛନ୍ତି 1988 ବ୍ୟାଚର ଭାରତୀୟ ବୈଦେଶିକ ସେବା (IFS) ଅଧିକାରୀ । ଜଣେ ଭାରତୀୟ କୂଟନୈତିଜ୍ଞ ଭାବେ ବିଭିନ୍ନ ଦେଶରେ ଭାରତକୁ ପ୍ରତିନିଧିତ୍ବ କରିବାରେ ତାଙ୍କର ଦୀର୍ଘ ବର୍ଷର ଅଭିଜ୍ଞତା ମଧ୍ୟ ରହିଛି । ପୂର୍ବରୁ ସେ ଓ୍ବାଶିଂଟନ ଡିସି ଓ ବେଜିଂରେ ଭାରତୀୟ ରାଷ୍ଟ୍ରଦୂତ ଭାବେ ଦାୟିତ୍ବ ତୁଲାଇ ସାରିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଯୁଗ୍ମ ସଚିବ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ବୈଦେଶିକ ସେବାରେ ପ୍ରାୟ 32ବର୍ଷର ଅଭିଜ୍ଞତା ତାଙ୍କର ରହିଛି ।

Related Posts