‘ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଭୁଆଁ ବୁଲାଉଛନ୍ତି’: ଜୟନାରାୟଣ ମିଶ୍ର

ଭୁବନେଶ୍ୱର,୨୨/୨(ସତ୍ୟପାଠ ବ୍ୟୁରୋ): ନବ ଦାସଙ୍କ ହତ୍ୟାକାଣ୍ଡର ୨୪ ଦିନ ପରେ ମୁଖ୍ୟମନ୍ତ୍ରୀଙ୍କ ନିଦ ଭାଙ୍ଗିଲା। ମୁଖ୍ୟମନ୍ତ୍ରୀଙ୍କ ଲୋକମାନେ ତାଙ୍କୁ ଯେଉଁ କାଗଜ ଦେଲେ ତାକୁ ସେ ବିଧାନସଭାରେ ପଢି ଦେଲେ । ତା ଭିତରେ କଣ ଅଛି ପଚାରିଲେ ସେ କହି ପାରିବେନି ।ଆଜି ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗକୁ ନେଇ ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିବୃତ୍ତି ପରେ ଏଭଳି ଢଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ କଡା ସମାଲୋଚନା କରିଛନ୍ତି ବିରୋଧୀ ଦଳନେତା ଜୟ ନାରାୟଣ ମିଶ୍ର । ସେ ଆହୁରି କହିଛନ୍ତି ଯେ, ନିଜ ବିବୃତିରେ ମୁଖ୍ୟମନ୍ତ୍ରୀ ମିଛ କହିଲେ ଯେ ଜଣେ ଜଜ୍ ଙ୍କୁ ତଦନ୍ତ ପାଇଁ ନିଯୁକ୍ତ କରିବାକୁ ସରକାର ହାଇକୋର୍ଟକୁ ଅନୁରୋଧ କରିଥିଲେ ଓ ହାଇକୋର୍ଟ ପୂର୍ବତନ ବିଚାରପତି ଜେପି ଦାସଙ୍କୁ ନିୟୋଜିତ କରିଛନ୍ତି ଯାହା କି ସମ୍ପୂର୍ଣ୍ଣ ମିଛ ।

ଜୟନାରାୟଣ ଆହୁରି କହିଛନ୍ତି ଯେ, ହାଇକୋର୍ଟରୁ ସେଭଳି କିଛି ବିଜ୍ଞପ୍ତି ବାହାରି ନାହିଁ । ନବ ଦାସ ଙ୍କ ହତ୍ୟାକାଣ୍ଡରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଭୁଆଁ ବୁଲାଉଛନ୍ତି । ରାଜ୍ୟର ଜଣେ ମନ୍ତ୍ରୀଙ୍କ ବିବୃତିକୁ ରାଜ୍ୟ ସରକାରଙ୍କ ବିବୃତି ବୋଲି ଧରାଯିବ । ରାଜ୍ୟ ସରକାରଙ୍କ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲିକ ବିବୃତି ଦେଇଛନ୍ତି ନବ ଦାସଙ୍କ ହତ୍ୟାକାଣ୍ଡରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ସମ୍ପୃକ୍ତି ଥାଇ ପାରେ । ଯାହାକି କ୍ରାଇମବ୍ରାଞ୍ଚର ତଦନ୍ତ ଉପରେ ପ୍ରଭାବ ପକାଇ ପାରେ। କାରଣ ସେ ହେଉଛନ୍ତି ସରକାରଙ୍କ ପ୍ରତିନିଧି। ତେଣୁ ଏହି ଘଟଣା କୁ ନେଇ ମୁଁ ପ୍ରମିଳା ମଲ୍ଲିକଙ୍କ ନାଁ ରେ ମାନହାନି ମକଦ୍ଦମା କରିବି ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ଯ ଯେ, ଗତକାଲି ଠାରୁ ଆରମ୍ଭ ହୋଇଛି ଷୋଡଶ ବିଧାନସଭାର ୧୨ତମ ଅଧିବେଶନ। ଅଧିବେଶନରେ ୨୭ ଟି କାର୍ଯ୍ୟଦିବସ ଥିବା ବେଳେ ଆସନ୍ତା ୨୪ରେ ବିଧାନସଭାରେ ଆଗତ ହେବ ୨୦୨୩-୨୪ ଆର୍ଥିକ ବର୍ଷର ସାଧାରଣ ବଜେଟ । କିନ୍ତୁ ନବ ଦାସ ହତ୍ୟାକାଣ୍ଡ ଓ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ବିରୋଧୀଙ୍କ ହୋହାଲ୍ଲା ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନକାଳ ଓ ଶୂନ୍ୟକାଳ ପୁରା ଧୋଇଯାଉଛି । ହଟ୍ଟଗୋଳ ଯୋଗୁଁ ଆସନ୍ତାକାଲି ସକାଳ ୧୦.୩୦ ପର୍ଯ୍ୟନ୍ତ ଗୃହକୁ ମୂଲତବୀ ଘୋଷଣା କରିଛନ୍ତି ବାଚସ୍ପତି।

Related Posts