‘୨୩ ବର୍ଷ ପରେ ଗଞ୍ଜାମବାସୀଙ୍କୁ ଲଲିପପ୍ ଦେଖାଉଛନ୍ତି ମୁଖ୍ୟମନ୍ତ୍ରୀ’: ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର,୨୯/୩ (ସତ୍ୟପାଠ ବ୍ୟୁରୋ): ଗୋପାଳପୁରରେ ରାଉଡ଼ି ଲୁକ୍ ରେ ପ୍ରଦୀପ ପାଣିଗ୍ରାହୀଙ୍କ ବୁଲେଟ୍ ସୋ’। ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତକୁ ୪୮ ଘଣ୍ଟା ନ ପୁରୁଣୁ ସିଧାସଳଖ ରାଜ୍ୟ ମୁଖିଆଙ୍କୁ ଟାର୍ଗେଟ କରିଛନ୍ତି ଗୋପାଳପୁର ବିଧାୟକ। ତେବେ ବିଜେଡିରୁ ବହିଷ୍କୃତ ହେବାପରେ ପ୍ରଥମଥର ପାଇଁ ସିଧାସଳଖ ନବୀନଙ୍କ ନାଁ ନେଇ ବର୍ଷିଛନ୍ତି ପ୍ରଦୀପ। ବୁଧବାର ପ୍ରଦୀପ ପାଣିଗ୍ରାହୀ ସତ୍ୟସାଇ ଭଜନମଣ୍ଡଳୀର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। ତେବେ ଦଳରୁ ବହିଷ୍କୃତ ହେବାପରେ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ଚାରିପଟେ ଥିବା କୋଟରୀକୁ ଟାର୍ଗେଟ କରି ଆସୁଥିବା ପ୍ରଦୀପ ଏଥର ସିଧାସଳଖ ନବୀନଙ୍କୁ ଟାର୍ଗେଟ କରି କହିଛନ୍ତି, ୨୩ ବର୍ଷ ପରେ ଗଞ୍ଜାମ ଜିଲ୍ଲାକୁ ଏକ ନମ୍ବର କରିବାକୁ ମୁଖ୍ୟମନ୍ତ୍ରୀ ସ୍ୱପ୍ନ ଦେଖାଉଛନ୍ତି। ମୁଖ୍ୟମନ୍ତ୍ରୀ ଗଞ୍ଜାମବାସୀଙ୍କୁ କ’ଣ ଲଲିପପ୍ ଦେଉଛନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି।

ସେ ଆହୁରି କହିଛନ୍ତି ଯେ, ଶଙ୍ଖକୁ ଗର୍ବ କହିବାର କାରଣ କ’ଣ? ନବୀନ ବାବୁ ଗର୍ବ ବା ଜଗନ୍ନାଥ ଆମର ଗର୍ବ ବୋଲି କହିଲେ ଭଲ ଲାଗିଥାନ୍ତା। ୨୩ ବର୍ଷ ପରେ ଲୋକ କ’ଣ ଶଙ୍ଖ ଚିହ୍ନକୁ ଭୁଲିଗଲେଣି କି? ସେଥିପାଇଁ ଶଙ୍ଖ ମୋର ଗର୍ବ ବୋଲି କହୁଛନ୍ତି। ଗୋପାଳପୁର ଏୟାପୋର୍ଟ କୁଆଡ଼େ ଗଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଏହାସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଟାର୍ଗେଟ କରି ସେ କହିଛନ୍ତି, ସିଏମ୍‌ ଅଫିସ୍‌ କରପ୍ସନ (ଦୁର୍ନୀତି), କଲେକ୍ସନ୍‌( ଅର୍ଥ ଆଦାୟ) ଓ କନ୍ସପିରେସି(ଷଡ଼ଯନ୍ତ୍ର)ର କେନ୍ଦ୍ରସ୍ଥଳୀ ପାଲଟିଛି। ଏହାସହିତ ସେ ମୁଖ୍ୟମନ୍ତ୍ରୀଙ୍କୁ ଚ୍ୟାଲେଞ୍ଜ କରି କହିଛନ୍ତି ସିଏମଓ କୁ ନେଇ ମୁଁ ଆଣିଥିବା ଅଭିଯୋଗ ଯଦି ମିଛ ତାହେଲେ ଚଳିତ ବିଧାନସଭାରେ ଏହି ଅଭିଯୋଗର ତଦନ୍ତ ପାଇଁ ଏକ ବିଧାନସଭା କମିଟି ଗଠନ କରନ୍ତୁ ବୋଲି ସେ କହିଛନ୍ତି।

ପ୍ରଦୀପ ପାଣିଗ୍ରାହୀ ଆହୁରି କହିଛନ୍ତି, ଜିଲ୍ଲାର ବରିଷ୍ଠ ନେତାମାନଙ୍କୁ ସାଇଡ଼ଲାଇନ୍‌ କରିଦିଆଯାଇଛି। ୨୦୨୩ରେ କବିସୂର୍ଯ୍ୟ ବଳଦେବ ରଥ ଓ ଉପେନ୍ଦ୍ର ଭଞ୍ଜଙ୍କ କଥା ମନେ ପଡ଼ିଗଲା। କବିସୂର୍ଯ୍ୟ ବଳଦେବ ରଥ ଓ ଉପେନ୍ଦ୍ର ଭଞ୍ଜଙ୍କ ଅବଦାନ ଉପରେ ସେମାନଙ୍କର ଧାରଣା ଅଛି ତ? ଚକରା ବିଷୋୟୀ କୁଆଡ଼େ ଗଲେ? ଗଞ୍ଜାମ ପାଇଁ ଚକରା ବିଷୋୟୀଙ୍କର କ’ଣ କିଛି ଅବଦାନ ନାହିଁ? ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ବିଶ୍ୱନାଥ ଦାସ, ବିନାୟକ ଆଚାର୍ଯ୍ୟଙ୍କ ପରି ବହୁ ବରପୁତ୍ରଙ୍କର କ’ଣ କିଛି ଅବଦାନ ନାହିଁ ବୋଲି ପ୍ରଦୀପ ପ୍ରଶ୍ନ କରିଛନ୍ତି।

ସେ ଆହୁରି କହିଛନ୍ତି, ଗୋପଳପୁର ନିର୍ବାଚନମଣ୍ଡଳୀ ମୋ ହାର୍ଟ। ବହୁତ କଥା କହିବାର ଅଛି। ସମୟ ଆସିଲେ କହିବି। ଯାହା କହିବି ଲୋକଙ୍କ ଉପରେ ପ୍ରଭାବ ପଡିବ। ଗଞ୍ଜାମ ରାଜନୀତିରେ ଲୋକ ପରିବର୍ତ୍ତନ ଚାହୁଁଛନ୍ତି। ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ଛତ୍ରପୁରରେ ବିରୋଧ କରାଯାଇଥିବା ଦେଖିବାକୁ ମିଳିଛି। ଏହାହିଁ ବାସ୍ତବତା ଆଉ ମୁଖ୍ୟମନ୍ତ୍ରୀ ଏହି ବାସ୍ତବତା କୁ ଗ୍ରହଣ କରନ୍ତୁ ବୋଲି ସେ କହିଛନ୍ତି।

Related Posts