ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

ଭୁବନେଶ୍ୱର,୨୩/୩ (ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ସାକ୍ଷାତ କରିଛନ୍ତି | ଆଜି ଦୁଇଦିନିଆ ପୁରୀ ଗସ୍ତ ଶେଷ କରି ମମତା ଆଜି ସଡକପଥରେ ଭୁବନେଶ୍ୱର ଆସି ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି । ନବୀନ-ମମତା ସାକ୍ଷାତ ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭିକେ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ ।

ତେବେ ନବୀନଙ୍କୁ ଭେଟିବା ପରେ ମମତା କହିଛନ୍ତି ଯେ, ନବୀନଙ୍କ ସହ ଆଜି ସୌଜନ୍ୟମୂଳକ ସାକ୍ଷାତକାର ଥିଲା | ନବୀନଙ୍କୁ ପଶ୍ଚିମବଙ୍ଗ ଆସିବାକୁ ନିମନ୍ତ୍ରଣ କଲି ।ଗଣତାନ୍ତ୍ରିକ ଅଧିକାରର ସୁରକ୍ଷା ନେଇ ଆମ ଭିତରେ ଆଲୋଚନା ହେଲା। ପୁରୀରେ ପଶ୍ଚିମବଙ୍ଗ ଅତିଥି ଭବନ ପାଇଁ ୨ ଏକର ଜମି ଦେଇଥିବାରୁ ରାଜ୍ୟ ସରକାରଙ୍କୁ ଅଶେଷ ଧନ୍ୟବାଦ । ପଶ୍ଚିମବଙ୍ଗର ଦୀଘାରେ ଗୋଟିଏ ଜଗନ୍ନାଥ ମନ୍ଦିର ନିର୍ମାଣ ହେଉଛି ଏବଂ ଏହାର ପରିଚାଳନା କମିଟିରେ ନବୀନଙ୍କୁ ରହିବାକୁ ଅନୁରୋଧ କରିଛି ବୋଲି ସେ କହିବା। ଏଥିସହ ଓଡ଼ିଶାରେ ଆତିଥ୍ୟ ପାଇଁ ନବୀନ ପଟ୍ଟନାୟକ ଓ ତାଙ୍କ ଅଫିସରମାନଙ୍କୁ ଧନ୍ୟବାଦ୍ ଦେଇଛନ୍ତି ମମତା।

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଏହା ଏକ ସୌଜନ୍ୟମୂଳକ ସାକ୍ଷାତକାର ଥିଲା | ଆମ ଭିତରେ ବହୁତ ପୁରୁଣା ବନ୍ଧୁତ୍ୱ ଓ ସୁନ୍ଦର ସମ୍ପର୍କ ରହିଆସିଛି | ଏହି ଭେଟଘାଟ ସମୟରେ କୌଣସି ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଚର୍ଚ୍ଚା ହୋଇନାହିଁ | ତେବେ ଭାରତରେ ସଂଘୀୟ ବ୍ୟବସ୍ଥା ସ୍ଥାୟୀ ଓ ସୁଦୃଢ ହେବାର ଆବଶ୍ୟକତା ରହିଛି |

ମିଳିଥିବା ସୂଚନା ମୁତାବକ ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ବସ୍ତ୍ର ଓ ରୂପା ତାରକସିର ତିନି ରଥର ମୂର୍ତ୍ତି ଉପହାର ଭାବେ ଦେଇଥିଲେ| ସେହିପରି ମମତା ନବୀନଙ୍କୁ ବିଶ୍ବବଙ୍ଗଳା ଦ୍ୱାରା ପ୍ରସ୍ତୁତ କରାଯାଇଥିବା ସାଲ ଦେଇଥିଲେ | ଏହି ଅବସରରେ ମମତା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଓ ଜ୍ଞାନ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ଏକ ଜାମଦାନି ଶାଢି ଉପହାର ଭାବେ ଦେଇଥିଲେ |

Related Posts