ମୁଖ୍ୟମନ୍ତ୍ରୀଙ୍କ ମୁମ୍ବାଇ ଗସ୍ତ; ଆଜି ନିବେଶକ ସମ୍ମିଳନୀରେ ଯୋଗଦେଇ ଶିଳ୍ପପତିଙ୍କୁ ଓଡ଼ିଶା ଆମନ୍ତ୍ରଣ କରିବେ ନବୀନ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମୁମ୍ବାଇ ଗସ୍ତ ଅବସରରେ ଆଜି ନିବେଶକଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶାରରେ ପୁଞ୍ଜି ନିବେଶ ପାଇଁ ଶିଳ୍ପପତି ଏବଂ ନିବେଶକଙ୍କୁ ବୁଝାଇବେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ ଶିଳ୍ପପ୍ରତିଷ୍ଠା ପାଇଁ ବ୍ୟାଙ୍କିଙ୍ଗ୍, ରାସାୟନିକ ପଦାର୍ଥ, ଅକ୍ଷୟ ଶକ୍ତି, ପ୍ଲାଷ୍ଟିକ୍ ଓ ଖଣି ଆଦି କ୍ଷେତ୍ର ସହ ନିବେଶକଙ୍କୁ ପରିଚିତ କରାଇବେ ।ରାଜ୍ୟ ସରକାର ପ୍ରଦାନ କରୁଥିବା ସୁବିଧା ବିଷୟରେ ମଧ୍ୟ ଅବଗତ କରାଇବେ ।

ଆଜି ପୂର୍ବାହ୍ନ ୧୧ଟାରୁ ନିବେଶକଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା ଆରମ୍ଭ କରିବେ । ମହିନ୍ଦ୍ରା ଗ୍ରୁପର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା, ଆଦିତ୍ୟ ବିର୍ଲା ଗ୍ରୁପ ଅଧ୍ୟକ୍ଷ କୁମାର ମଙ୍ଗଳମ ବିର୍ଲା, ବେଦାନ୍ତ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲଙ୍କ ଭଳି ଅନେକ ଶିଳ୍ପପତିଙ୍କ ସହ କଥା ହେବାର କାର୍ଯ୍ୟକ୍ରମ ସ୍ଥିର କରାଯାଇଛି । ମୁମ୍ବାଇର ଟ୍ରାଇଡେଣ୍ଟ ହୋଟଲରେ ଆଜିର ଏହି ନିବେଶକ ସମ୍ମିଳନୀ ଅନୁଷ୍ଠିତ ହେଉଛି ।

ଏହି ଅଢ଼େଇ ଘଣ୍ଟାର ଆଲୋଚନାରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ଦୀନେଶ କୁମାର ଖରା, ଏଚଡିଏଫସି ବ୍ୟାଙ୍କର ଭାରତ ମୁଖ୍ୟ ଅରବିନ୍ଦ ବୋହରା, ଆଇସିଆଇସିଆଇ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରାକେଶ ଝା, ଏସିଆନ୍ ପେଣ୍ଟସ୍ ଲିମିଟେଡ୍, ବମ୍ବେ ଷ୍ଟକ ଏକ୍ସଚେଞ୍ଜ, ଲାର୍ସନ୍ ଆଣ୍ଡ ଟୁବ୍ରୋ ଲିମିଟେଡ୍ ଓ ଏସଟିଟି ଜିଡିସି ଇଣ୍ଡିଆ ପିଭି ଲିମିଟେଡର ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । ଏହାସହିତ ଆଜି ସଂଧ୍ୟା ୭ଟାରେ ‘ଓଡ଼ିଶା ଇନଭେଷ୍ଟର୍ସ ମିଟ୍’ ରେ ଶିଳ୍ପପତି ଓ ବ୍ୟାଙ୍କର୍ସମାନଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି।

ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ବିଶିଷ୍ଟ ଉଦ୍ୟୋଗୀଙ୍କୁ ଓଡିଶାରେ ପୁଞ୍ଜି ନିବେଶ ପାଇଁ ଆମନ୍ତ୍ରଣ କରାଯିବ। ଖାସ୍ ଏଇଥିପାଇଁ ଦିଲ୍ଲୀ ପରେ ମୁମ୍ବାଇରେ ଏବେ ନିବେଶକ ସମ୍ମିଳନୀ ଆୟୋଜନ ହେଉଛି । ନଭେମ୍ବର ୩୦ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ଭୁବନେଶ୍ୱରରେ ହେବାକୁ ଥିବା ମେକ-ଇନ-ଓଡିଶାର ତୃତୀୟ ସଂସ୍କରଣରେ ଭାଗନେବା ପାଇଁ ଶିଳ୍ପପତିଙ୍କୁ ଏଠାରେ ବୁଝାଇବେ ନବୀନ। ଏହା ସହ ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ସକାଳେ ବମ୍ବେ ଷ୍ଟକ ଏକ୍ସଚେଞ୍ଜର ଓପନିଂ ବେଲ୍‌ ବଜାଇବାର କାର୍ଯ୍ୟକ୍ରମ ରହିଛି । ସୂଚନା ଅନୁସାରେ ବେଲ୍‌ ବାଜିବାର ୧୫ ମିନିଟ ପରେ ଏଠାରେ ଟ୍ରେଡିଂ ଆରମ୍ଭ ହୋଇଥାଏ ।

Related Posts