ମିଳିଲାନି ଚିଟଫଣ୍ଡ ଟଙ୍କା; ସିବିଆଇ ୪୪, ଓଡ଼ିଶା ପୋଲିସ ୨୬୬ ଟି ଚିଟଫଣ୍ଡ କଂପାନୀ ବିରୁଦ୍ଧରେ ମାମଲା ରୁଜୁ କରିଛି

(ସତ୍ଯପାଠ ବ୍ଯୁରୋ) ଭୁବନେଶ୍ୱର : ଚିଟ୍‍ଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀଙ୍କ ସ୍ୱାର୍ଥ ସୁରକ୍ଷା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଆଇନ୍‍ ପ୍ରଣୟନ କଲେ । କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରାଇବା ପାଇଁ ସରକାର କମିଶନ ବସାଇଲେ। ଏମିତିକି କେନ୍ଦ୍ରୀୟ ଯାଞ୍ଚ୍ ଏଜେନ୍ସି ସିବିଆଇ ଠାରୁ ଆରମ୍ଭ କରି ଓଡ଼ିଶା ପୋଲିସ ମାମଲା ରୁଜୁ କରି ବ୍ୟାପକ ଅର୍ଥ ବ୍ୟୟ କରିଚାଲିଲେ । କିନ୍ତୁ ୧୦ବର୍ଷ ଧରି ଅପେକ୍ଷା କରି ବସିଥିବା ଲକ୍ଷ ଲକ୍ଷ ଜମାକାରୀ ହରାଇଥିବା ଅର୍ଥ ଫେରସ୍ତ ପାଇପାରୁ ନାହାନ୍ତି । ୨୦୧୦ ମସିହାରେ ଚିଟ୍‍ଫଣ୍ଡ କେଲେଙ୍କାରୀ ପଦାକୁ ଆସିଲା , ଏହା ମଧ୍ୟରେ ୧୦ ବର୍ଷରୁ ଅଧିକ ସମୟ ବିତିଗଲାଣି। ଚିଟଫଣ୍ଡ କେଳେଙ୍କାରୀର ଯାଞ୍ଚ୍ କରିବା ପାଇଁ ଓଡିଶା ପୁଲିସ୍‍ ୨୦୧୮ ମସିହା ସୁଦ୍ଧା ୨୬୬ଟି ବେଆଇନ୍‍ ଆର୍ଥିକ ପ୍ରତିଷ୍ଠାନ ବିରୁଦ୍ଧରେ ୬୬୨ଟି ମାମଲା ରୁଜୁ କରିଥିଲା । ଏହାପରେ ମଧ୍ୟ ପୁଲିସର ଅର୍ଥନୈତିକ ଅପରାଧ ଶାଖା ଆଉ କିଛି ମାମଲା ରୁଜୁ କରିଥିଲା। ସୁପ୍ରିମ୍‍କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଚିଟ୍‍ଫଣ୍ଡ ଦୁର୍ନୀତିରେ ସଂଶ୍ଲିଷ୍ଟ ୪୪ଟି ଅଭିଯୁକ୍ତ ସଂସ୍ଥାର ତଦନ୍ତ ଭାର ସିବିଆଇକୁ ଦିଆଯାଇଛି । ତେବେ ସିବିଆଇ ଓ ଓଡିଶା ପୁଲିସ୍‍ ଚିଟଫଣ୍ଡ ମହାଦୁର୍ନୀତିରେ କିଛି ରାଜନେତାଙ୍କ ସମେତ ହଜାରେରୁ ଅଧିକ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରୁ ଅନେକ ଜାମିନରେ ବାହାରକୁ ଆସିଲେଣି । ଆଉ କିଛି ଏବେ ବି ଜେଲ୍‍ରେ ଅଛନ୍ତି ।  ଅଳ୍ପ କିଛି ଅଭିଯୁକ୍ତଙ୍କୁ ଦଣ୍ଡାଦେଶ ହୋଇଥିବାବେଳେ ସେଥି ମଧ୍ୟରୁ ଅଧିକାଂଶ ଉପର ଅଦାଲତରେ ଏହାକୁ ଚ୍ୟାଲେଞ୍ଜ କରିଛନ୍ତି। ତେବେ ରାଜ୍ୟ ସରକାର ଏହି ଚିଟ୍‍ଫଣ୍ଡ କେଳେଙ୍କାରୀର ବିଚାର ବିଭାଗୀୟ ତଦନ୍ତ କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧି ସାଙ୍ଗକୁ କୋଟି କୋଟି ଟଙ୍କା ବ୍ୟୟ କରିଛନ୍ତି । ତେବେ ଏହି ସମସ୍ୟା ଏତିକିରେ ସମାପ୍ତ ହୋଇ ନାହିଁ। ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀଙ୍କୁ କ୍ଷତିପୂରଣ ପ୍ରଦାନ କରିବା ଲକ୍ଷ୍ୟରେ ୨୦୧୪ ମସିହାରେ ରାଜ୍ୟ ସରକାର ୩୦୦ କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ କରିଥିଲେ । ଏହା ମଧ୍ୟରେ ତଦନ୍ତ କମିଶନ ରାଜ୍ୟ ସରକାରଙ୍କୁ ଏହି ମାମଲାରେ କିଛି ରିପୋର୍ଟ ପ୍ରଦାନ କରିଛନ୍ତି । ୨୦୧୧ରେ କ୍ଷତିଗ୍ରସ୍ତ ଜମାକାରୀମାନଙ୍କ ସ୍ୱାର୍ଥ ସୁରକ୍ଷା ପାଇଁ ରାଜ୍ୟ ସରକାର ଓବିଆଇଡି ଆକ୍ଟ ଲାଗୁ କରି ଠକ ସଂସ୍ଥାଗୁଡିକ ମଧ୍ୟରୁ କେତେକଙ୍କର ସମ୍ପତ୍ତି ବାଜ୍ୟାପ୍ତି କରିବା ପାଇଁ ପଦକ୍ଷେପ ନେଇଛନ୍ତି । ଚିଟଫଣ୍ଡ ମହାଦୁର୍ନୀତିର ଅନୁସନ୍ଧାନ ସମୟରେ ବିଭିନ୍ନ ସଂସ୍ଥା ଗୁଡିକରୁ ବିପୁଳ ନଗଦ ଟଙ୍କା, ସୁନା ଓ ରୂପା ମୂଦ୍ରା , ଯାନବାହାନ, ଶିଳ୍ପାନୁଷ୍ଠାନ, ଫାର୍ମହାଉସ୍‍, ବଙ୍ଗଳା , ଅଫିସ ଓ ବାସଗୃହ ଓ ପ୍ରାୟ ହଜାରେ ଏକର ଜମି ସାଙ୍ଗକୁ ପାଖପାଖି ୩୦୦ କୋଟି ଟଙ୍କାର ବ୍ୟାଙ୍କ୍‍ ଆକାଉଣ୍ଟ ମଧ୍ୟ ଜବତ କରାଯାଇଥିଲା । ଇତି ମଧ୍ୟରେ ୧୦ ବର୍ଷରୁ ଊର୍ଦ୍ଧ୍ବ ସମୟ ବିତିଗଲାଣି। ରାଜ୍ୟ ସରକାର ବିଚାର ବିଭାଗୀୟ ତଦନ୍ତ କମିଶନ, ତଦନ୍ତକାରୀ ସଂସ୍ଥା ଓ ମାମଲାର ପରିଚାଳନା ପାଇଁ ପାଣି ଭଳି ଭଳି ଟଙ୍କା ଖର୍ଚ୍ଚ କରି ଚାଲିଛନ୍ତି । କିନ୍ତୁ କ୍ଷତିଗ୍ରସ୍ତ ଜମାକାରୀ ସୁଧ ପାଇବା ତ ଦୂରରକଥା ମୂଳ ମଧ୍ୟ ଫେରି ପାଇନାହାନ୍ତି । ଏହା ମଧ୍ୟରେ କିଛି ଜମାକାରୀ ଓ ଏଜେଣ୍ଟମାନଙ୍କର ସ୍ୱାଭାବିକ ଓ ଅସ୍ୱାଭାବିକ ମୃତ୍ୟୁ ମଧ୍ୟ ହୋଇଗଲାଣି । କିନ୍ତୁ କେବେ ସୁଦ୍ଧା ଏହି ମହାଦୁର୍ନୀତିର ପର୍ଦ୍ଦାଫାସ୍ ହେବ , ସମସ୍ତ କ୍ଷତିଗ୍ରସ୍ତ ଜମାକାରୀ ଟଙ୍କା ଫେରସ୍ତ ପାଇବେ ଏବଂ ସମସ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ ଆଇନ ଅନୁସାରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ଏହାର ଉତ୍ତର କାହାରି ପାଖରେ ନାହିଁ। 

Related Posts