ଭୋପାଳରେ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟରୁ କ୍ଲୋରିନ୍ ଗ୍ୟାସ୍ ଲିକ୍; ୧୫ ଅସୁସ୍ଥ ହସ୍ପିଟାଲରେ ଭର୍ତ୍ତି, ୭୦ରୁ ଉର୍ଦ୍ଧ ପରିବାର ହେଲେ ସ୍ଥାନାନ୍ତର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଭୋପାଳର ମଦର ଇଣ୍ଡିଆ କଲୋନୀରେ କ୍ଲୋରିନ ଗ୍ୟାସ୍ ଲିକ୍ ହେବାରୁ ହଇଚଇ ସୃଷ୍ଟି ହୋଇଛି । ଏଠାରେ ଥିବା ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟରୁ କ୍ଲୋରିନ୍ ଗ୍ୟାସ୍ ଲିକ୍ ହେବାରୁ ସ୍ଥାନୀୟ ଲୋକେ ଭୟରେ ଘରୁ ବାହାରି ଦୂର ସ୍ଥାନକୁ ପଳାଇବାକୁ ଲାଗିଥିଲେ । ଏହାସହ ସେମାନଙ୍କ ଆଖିରେ ଯନ୍ତ୍ରଣା ହୋଇଥିଲା । କେବଳ ଏତିକି ନୁହେଁ ଅଣନିଶ୍ୱାସୀ ହୋଇ ଅଚେତ ହୋଇପଡିଥିବା ୧୫ଜଣ ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେହିପରି ୭୦ରୁ ଉର୍ଦ୍ଧ ପରିବାରକୁ ସ୍ଥାନାନ୍ତର କରାଯାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ଶିକ୍ଷା ମନ୍ତ୍ରୀ କୈଳାଶ ସାରଙ୍ଗ ହସ୍ପିଟାଲରେ ପହଞ୍ଚି ସେମାନଙ୍କୁ ଚିକିତ୍ସା ଅନୁଧ୍ୟାନ କରିବା ସହ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିବା ଜଣାପଡିଛି ।

ଏନେଇ ଭୋପାଳ ଜିଲ୍ଲାପାଳ ଅବିନାଶ ଲାଭାନିଆ କହିଛନ୍ତି ଯେ, କ୍ଲୋରିନ୍ ଗ୍ୟାସ୍ ଲିକେଜ୍ ବିଷୟରେ ସୂଚନା ପାଇବା ପରେ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଥିଲା। ୩ ଜଣ ରୋଗୀଙ୍କୁ ଆମ୍ବୁଲାନ୍ସରେ ହମିଦିଆ ଡାକ୍ତରଖାନାକୁ ନିଆଯାଇଥିଲା। ହମିଡିଆ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଲୋକଙ୍କ ମଧ୍ୟରେ ୩୫ ବର୍ଷବୟସ୍କା ସଂଗୀତା, ୪୦ ବର୍ଷବୟସ୍କା ପୁଷ୍ପା ଏବଂ ୬୫ ବର୍ଷବୟସ୍କା ପରଭେଜ୍ ମଧ୍ୟ ଥିଲେ। ମଧ୍ୟପ୍ରଦେଶ ଚିକିତ୍ସା ଶିକ୍ଷା ମନ୍ତ୍ରୀ ବିଶ୍ୱାସ କୈଳାସ ସାରଙ୍ଗ ଏକ ଟ୍ୱିଟରେ କହିଛନ୍ତି ଯେ ହମିଦିଆ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଲୋକଙ୍କ ସ୍ୱାସ୍ଥ୍ୟରେ କ୍ରମାଗତ ଉନ୍ନତି ହେଉଛି। ଡାକ୍ତର ଏବଂ ଡାକ୍ତରଖାନା ପରିଚାଳନା ଉପଯୁକ୍ତ ଚିକିତ୍ସା ପାଇଁ ତୁରନ୍ତ କାର୍ଯ୍ୟ କରୁଛନ୍ତି ।

ଏନେଇ ମନ୍ତ୍ରୀ ସାରଙ୍ଗ କହିଛନ୍ତି ଯେ, ମଦର ଇଣ୍ଡିଆ କଲୋନୀରେ କ୍ଲୋରିନ୍ ଟ୍ୟାଙ୍କରେ ଲିକେଜ୍ ଘଟଣାର ସମୀକ୍ଷା କରିବା ଏବଂ ଏକ ବିସ୍ତୃତ ଅନୁସନ୍ଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାର ପୁନରାବୃତ୍ତିକୁ ରୋକିବା ପାଇଁ ଠୋସ୍ ପଦକ୍ଷେପ ମଧ୍ୟ ନିଆଯିବ ।

ସୂଚନା ଅନୁସାରେ, ବୁଧବାର ସନ୍ଧ୍ୟା ୬ଟା ସମୟରେ ଏହି ଅଘଟଣ ଘଟିଥିଲା । ଭୋପାଳ ମଦର ଇଣ୍ଡିଆ କଲୋନୀରେ ଥିବା ଏକ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟରୁ କ୍ଲୋରିନ ଗ୍ୟାସ୍ ନିର୍ଗତ ହୋଇଥିଲା । ଗ୍ୟାସ୍ ସଂସ୍ପର୍ଶରେ ଆସିବା ଯୋଗୁଁ ହଠାତ୍ ଲୋକେ କାଶିବା ଓ ବାନ୍ତି କରିବା ଆରମ୍ଭ କରିଥିଲେ । ସେମାନଙ୍କ ଆଖିରେ ପୋଡାଜଳା ହୋଇଥିଲା । ଏପରିକି କିଛି ଜଣ ଅଚେତ ମଧ୍ୟ ହୋଇପଡିଥିଲେ । ଯାହାକୁ ନେଇ ଚାରିଆଡେ ଆତଙ୍କ ଖେଳି ଯାଇଥିଲା । ଏହାପରେ ସ୍ଥାନୀୟଲୋକେ ପୋଲିସକୁ ଖବର ଦେଇଥିଲେ ।

ତେବେ, ଗତକାଲି ପ୍ରଥମେ ପୂର୍ବାହ୍ନ ସାଢେ ୨ଟା ସମୟରେ ପ୍ଲାଣ୍ଟରୁ କ୍ଲୋନ ଗ୍ୟାସ୍ ଲିକ୍ ହୋଇଥିଲା । ଟେକ୍ନିସିଆନ ଏହାକୁ ମରାମତି କରିବାକୁ ଚେଷ୍ଟା କରିଥିଲେ । ହେଲେ ସନ୍ଧ୍ୟା ସମୟରେ ଅଚାନକ ପୁଣିଥରେ ଗ୍ୟାସ୍ ଲିକ୍ କରିଥିଲା । ଏହାପରେ ତୁରନ୍ତ ୯୦୦ କେଜିର କ୍ଲୋରିନ ଗ୍ୟାସ୍ ସିଲିଣ୍ଡରକୁ କ୍ରେନ ସାହାଯ୍ୟରେ ପାଣିରେ ଫିଙ୍ଗି ଦିଆଯାଇଥିଲା ।

ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏହାପୂର୍ବରୁ ୧୯୮୪ ମସିହାରେ ଭୋପାଳରେ ବିଷାକ୍ତ ଗ୍ୟାସ୍ ଲିକ୍ ହୋଇଥିଲା । ଏଥିରେ ଅନେକ ଲୋକଙ୍କୁ ମୃତ୍ୟୁ ଘଟିଥିବାବେଳେ ପ୍ରାୟ ୫ ଲକ୍ଷରୁ ଅଧକ ପ୍ରଭାବିତ ହୋଇଥିଲେ ।

Related Posts