ଆସନ୍ତା ନଭେମ୍ବର ୧୦ରେ ରାଜ୍ୟ ପାଳିବ ପ୍ରଥମ ‘ମାଣ୍ଡିଆ ଦିବସ’; ପ୍ରସ୍ତୁତି ନେଇ ସମୀକ୍ଷା କଲେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆସନ୍ତା ନଭେମ୍ବର ୧୦ ତାରିଖରେ ପ୍ରଥମ ଥର ପାଇଁ ରାଜ୍ୟରେ ପାଳନ ହେବ ‘ମାଣ୍ଡିଆ ଦିବସ’ । ପ୍ରତ୍ୟେକ ବର୍ଷ ମାର୍ଗଶୀର ମାସ ପ୍ରଥମ ଗୁରୁବାରରେ ରାଜ୍ୟରେ ‘ମାଣ୍ଡିଆ ଦିବସ’ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଚଳିତ ବର୍ଷଠାରୁ ଏହି ଦିବସ ପାଳନ ଆରମ୍ଭ ହେବ। ଏହି କାର୍ଯ୍ୟକ୍ରମ ମାଣ୍ଡିଆ ଚାଷକୁ ପ୍ରୋତ୍ସାହିତ କରିବା ସହିତ ଜନସାଧାରଣଙ୍କ ମଧ୍ୟରେ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟର ଗ୍ରହଣୀୟତା ବୃଦ୍ଧି କରିବ ବୋଲି ପ୍ରସ୍ତୁତିର ସମୀକ୍ଷା କରି କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।

କୃଷି ଭବନରେ ଆୟୋଜିତ ମାଣ୍ଡିଆ ଦିବସ ପାଳନ ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷତା କରିଛନ୍ତି ମନ୍ତ୍ରୀ । ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଯେ, ‘ରାଜ୍ୟ ସରକାର ମାଣ୍ଡିଆ ଚାଷ ନିମନ୍ତେ ୩ ବର୍ଷ ପାଇଁ ହେକ୍ଟର ପିଛା ୧୦ ହଜାର ଟଙ୍କା ଆର୍ଥିକ ପ୍ରୋତ୍ସାହନ ରାଶିକୁ ବୃଦ୍ଧି କରି ୫ ବର୍ଷ ପାଇଁ ହେକ୍ଟର ପିଛା ୨୬ ହଜାର ୫୦୦ ଟଙ୍କା ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଅତିରିକ୍ତ ୧୧ଟି ଜିଲ୍ଲାର ୩୪ଟି ବ୍ଲକକୁ ଓଡ଼ିଶା ମିଲେଟ ମିଶନକୁ ସଂପ୍ରସାରିତ କରାଯାଇଛି । ଫଳରେ ରାଜ୍ୟର ୩୦ଟି ଜିଲ୍ଲାର ୧୭୭ଟି ବ୍ଲକର ଓଡ଼ିଶା ମିଲେଟ୍‌ ମିଶନ କାର୍ଯ୍ୟ କରୁଛି । ମାଣ୍ଡିଆ ଚାଷ ନିମନ୍ତେ ଚାଷୀଙ୍କୁ ଉନ୍ନତ ମାନର ବିହନ ଯୋଗାଇଦେବାର ବ୍ୟବସ୍ଥା କରାଯାଇଛି । ଏଥି ସହିତ ବର୍ଷାପୁଷ୍ଟ ଅଞ୍ଚଳରେ ମଧ୍ୟ ମାଣ୍ଡିଆ ଚାଷ ନିମନ୍ତେ ପଦକ୍ଷେପ ନିଆଯାଇଛି । ବୃହତ୍‌ ଉଠାଜଳସେଚନ ପ୍ରକଳ୍ପ ଅଞ୍ଚଳରେ ମଧ୍ୟ ମାଣ୍ଡିଆ ଚାଷ ନିମନ୍ତେ ଯୋଜନା ପ୍ରସ୍ତୁତ କରାଯାଉଛି । ମାଣ୍ଡିଆ ଚାଷ ମାଧ୍ୟମରେ ମହିଳାମାନେ ସ୍ୱାବଲମ୍ବୀ ହୋଇପାରିବେ।’

ନଭେମ୍ବର ୧୦ ତାରିଖରେ କୃଷି ଭବନରେ ମାଣ୍ଡିଆ ଦିବସ ପାଳନ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ବୈଠକରେ ଆଲୋଚନା ହୋଇଛି । ଓଡ଼ିଶା ଭାରତବର୍ଷର ପ୍ରଥମ ରାଜ୍ୟ ଭାବରେ ମିଲେଟ ଦିବସ ପାଳନ କରିବାକୁ ଯାଉଛି । ଏହି ଉପଲକ୍ଷେ ମାଣ୍ଡିଆର ମହତ୍ତ୍ୱ ପ୍ରତି ଜନସଚେତନତା ବୃଦ୍ଧି ନିମନ୍ତେ ମାଣ୍ଡିଆ ରଥ ପରିଭ୍ରମଣ କରିବ । ଏଥି ସହିତ ସମ୍ବାଦପତ୍ର, ବୈଦ୍ୟୁତିକ ଗଣମାଧ୍ୟମ, ସୋସିଆଲ୍‌ ମିଡିଆ ମାଧ୍ୟମରେ ବ୍ୟାପକ ପ୍ରଚାର ପ୍ରସାର ପାଇଁ ସ୍ଥିର ହୋଇଛି । ବିଭିନ୍ନ ସ୍ଥାନରେ ଆକର୍ଷଣୀୟ ହୋଡ଼ିଂ ଲଗାଯିବ ।

ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ବିଦ୍ୟାଳୟସ୍ତରରେ ସାଧାରଣଜ୍ଞାନ ପ୍ରତିଯୋଗିତା, ଫୁଡ଼୍‌ ଫେଷ୍ଟିଭାଲ ପ୍ରଦର୍ଶନୀ ଆଦିର ଆୟୋଜନ କରାଯିବ । କୃଷି ଭବନରେ ମଧ୍ୟ ଏକ ଆକର୍ଷଣୀୟ ପ୍ରଦର୍ଶନୀର ଆୟୋଜନ କରାଯିବ । ଏଥି ସହ ସଫଳ ଚାଷୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ସଂପ୍ରସାରଣ ଅଧିକାରୀଙ୍କୁ ପୁରସ୍କାର ଓ ସମ୍ବର୍ଦ୍ଧନା ପ୍ରଦାନ କରାଯିବ । ମାଣ୍ଡିଆ ଦିବସ ଅବସରରେ ରେଷ୍ଟୁରାଣ୍ଟ ଆସୋସିଏସନ୍‌ ସହଯୋଗରେ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ପରସା ଯିବା ପାଇଁ ବୈଠକରେ ସ୍ଥିର କରାଯାଇଛି । ଚଳିତ ବର୍ଷ ବାଲିଯାତ୍ରା ସହ ଅନ୍ୟ ରାଜ୍ୟସ୍ତରୀୟ ଓ ଜିଲ୍ଲାସ୍ତରୀୟ ମହୋତ୍ସବମାନଙ୍କରେ ମାଣ୍ଡିଆର ବହୁଳ ବ୍ୟବହାର ଓ ପ୍ରଚାରପ୍ରସାର ନିମନ୍ତେ ଏହି ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ନିଆଯାଇଛି ।

୨୦୨୩ ମସିହାକୁ ଆନ୍ତର୍ଜାତିକ ମିଲେଟ ବର୍ଷ ଭାବରେ ପାଳନ କରାଯାଉଥିବା ପରିପ୍ରେକ୍ଷୀରେ ରାଜ୍ୟରେ ମିଲେଟ ବର୍ଷ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପାଳନ କରାଯିବା ସଂପର୍କରେ ମଧ୍ୟ ବୈଠକରେ ଆଲୋଚନା ହୋଇଛି । ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ମାଣ୍ଡିଆ ଦିବସ ପାଳନର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଛନ୍ତି । ଏହା ସହ ବିଭିନ୍ନ ବିଭାଗର ସହଭାଗିତାରେ ମାଣ୍ଡିଆର ପ୍ରସାର କରାଯାଉଛି ବୋଲି ସେ କହିଛନ୍ତି । ବୈଠକରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Related Posts