ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପୁଣି କେନ୍ଦ୍ର ସରକାରକୁ ଟାର୍ଗେଟ କରିଛନ୍ତି ଏଆଇଏମଆଇଏମ ମୁଖ୍ୟ ତଥା ହାଇଦ୍ରାବାଦ ସାଂସଦ ଅସଦୁଦ୍ଦୀନ ଓୱେସୀ । ଦେଶ ବାହାରୁ ଆସୁଥିବା ସଂଖ୍ୟାଲଘୁ ସଂପ୍ରଦାୟ ବ୍ୟକ୍ତିଙ୍କୁ ନାଗରିକତା ଦେବା ଅଧିକାର ଉପରେ କେନ୍ଦ୍ରର ନିଷ୍ପତ୍ତିକୁ ନେଇ ସେ ଟାର୍ଗେଟ କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ଆଗାମୀ ଦିନରେ ଥିବା ଗୁଜରାଟ ନିର୍ବାଚନ ପୂର୍ବରୁ ରାଜ୍ୟର ଦୁଇଟି ଜିଲ୍ଲା ଆନନ୍ଦ ଏବଂ ମେହସାଣାରେ ଶରଣାର୍ଥୀ ଭାବେ ରହୁଥିବା ପଡ଼ୋଶୀ ଦେଶ ଆଫଗାନିସ୍ତାନ, ବାଙ୍ଗଲାଦେଶ ଏବଂ ପାକିସ୍ତାନର ସଂଖ୍ୟାଲଘୁ ସଂପ୍ରଦାୟ ବ୍ୟକ୍ତିଙ୍କୁ ନାଗରିକତା ଦେବାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ ଧର୍ମ ଆଧାରରେ ଦେଶରେ ନାଗରିକତା ଦେବାକୁ ନେଇ ବର୍ଷିଛନ୍ତି ଓୱେସୀ।
ସେ କହିଛନ୍ତି ଯେ, ନାଗରିକତା ଦେବା କାମ ଭାରତରେ ପୂର୍ବରୁ ହିଁ ହେଉଛି। ପ୍ରଥମେ ତ’ ସରକାର ଅଧିକ ସମୟ ଅବଧିର ଭିଜା ଦେଉଛନ୍ତି ଏବଂ ପରେ ସେମାନଙ୍କୁ ନାଗରିକତା ମିଳିଯାଉଛି । ସରକାରଙ୍କୁ ନାଗରିକତା ଦେବା ଆଇନକୁ ଧର୍ମ ନିରପେକ୍ଷ କରିବା ଉଚିତ୍। ସିଏଏକୁ ଏନପିଆର ଏବଂ ଏନଆରସି ସହ ଯୋଡ଼ିବାକୁ ହେବ। ଓବେସୀ ଆହୁରି କହିଛନ୍ତି ଯେ, ସିଏଏକୁ ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟର ଏବଂ ରାଷ୍ଟ୍ରୀୟ ନାଗରିକ ରେଜିଷ୍ଟର ସହ ଯୋଡ଼ିବା ଦରକାର।
ସୂଚନା ଅନୁସାରେ କେନ୍ଦ୍ର ସରକାର ଏକ ବିବୃତ୍ତି ଜାରି କରି ଗୁଜରାଟର ଦୁଇ ଜିଲ୍ଳା ମେହସାଣା ଏବଂ ଆନନ୍ଦର କଲେକ୍ଟରଙ୍କୁ ପଡ଼ୋଶୀ ଦେଶ ଆଫଗାନିସ୍ତାନ, ବାଙ୍ଗଲାଦେଶ ଏବଂ ପାକିସ୍ତାନରୁ ଆସୁଥିବା ଅଳ୍ପସଂଖ୍ୟକଙ୍କୁ ନାଗରିକତା ଦେବାର ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନ ସମୟରେ ଗୁଜରାଟର ଦୁଇ ଜିଲ୍ଲା ମେହସାଣା ଏବଂ ଆନନ୍ଦରେ ପଡ଼ୋଶୀ ଦେଶରୁ ଆସିଥିବା ସଂଘ୍ୟାଲଘୁ ସଂପ୍ରଦାୟର ହିନ୍ଦୁ, ସିଖ୍, ବୌଦ୍ଧ, ଜୈନ, ପାରସୀ ଏବଂ ଇସାଇ ଧର୍ମର ଲୋକେ ରହୁଛନ୍ତି। ଏମାନଙ୍କୁ ନାଗରିକତା ଦେବାର ଏହି ନିଷ୍ପତ୍ତି ନାଗରିକତା ଅଧିନିୟମ ୧୯୫୫ ଅନୁଯାୟୀ ନିଆଯାଇଛି।
