ଦିଲ୍ଲୀରେ ନିର୍ମାଣ କାର୍ଯ୍ୟ ବ୍ୟାନ ପରେ ଶ୍ରମିକ ମାନଙ୍କ ପାଇଁ ୫୦୦୦ ଟଙ୍କା ଆର୍ଥିକ ସହାୟତା ଘୋଷଣା କଲେ କେଜ୍ରିୱାଲ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦିଲ୍ଲୀ-ଏନସିଆର ଅଞ୍ଚଳରେ ଦିନକୁ ଦିନ ବଢୁଥିବା ପ୍ରଦୂଷଣକୁ ନଜରରେ ରଖି ରାଜଧାନୀରେ ଗ୍ରେପ ଷ୍ଟେଜ-୩ ନିୟମ ଲାଗୁ କରାଯାଇଛି । ଏହି ନିୟମ ଅନୁସାରେ ଦିଲ୍ଲୀରେ ବର୍ତ୍ତମାନ ସମସ୍ତ ନିର୍ମାଣ କାର୍ଯ୍ୟକୁ ବନ୍ଦ କରିଦିଆଯାଇଛି । ଏହା ଫଳରେ ହଜାର ହଜାର ଶ୍ରମିକ ବେରୋଜଗାର ହେବାକୁ ଯାଉଛନ୍ତି । ସେମାନଙ୍କୁ ଦୃଷ୍ଟିରେ ରଖି ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଦିଲ୍ଲୀର ସମସ୍ତ ଶ୍ରମିକଙ୍କ ପାଇଁ ଏକ ସହାୟତା ପ୍ୟାକେଜ ଘୋଷଣା କରିଛନ୍ତି ।

ଏହି ପ୍ୟାକେଜ ମୁତାବକ କୋଭିଡ-୧୯ ଭଳି ଏଥର ବି ପ୍ରତି ପଞ୍ଜିକୃତ ଶ୍ରମିକଙ୍କୁ ଦିଲ୍ଲୀ ସରକାର ୫ ହଜାର ଟଙ୍କାର ସହାୟତା ରାଶି ଯୋଗାଇ ଦିଆଯିବ । ମିଳିଥିବା ସୂଚନା ମୁତାବକ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରାଜ୍ୟର ଶ୍ରମମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଏନେଇ ନିର୍ଦ୍ଦେଶ ଦେଇଛନ୍ତି । ନିର୍ଦ୍ଦେଶ ମୁତାବକ ଯେପର୍ଯ୍ୟନ୍ତ ଦିଲ୍ଲୀରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନାହିଁ ସେପର୍ଯ୍ୟନ୍ତ ପଞ୍ଜିକୃତ ଶ୍ରମିକମାନଙ୍କୁ ମାସିକ ୫ ହଜାର ଟଙ୍କାର ସହାୟତା ଯୋଗାଇ ଦିଆଯିବ।

ସୂଚନାଯୋଗ୍ୟ ଯେ, ଦିଲ୍ଲୀ- ଏନସିଆରରେ ଦିନକୁ ଦିନ ବାୟୁର ଗୁଣବତ୍ତା ମାନ ହ୍ରାସ ପାଇବାରେ ଲାଗିଛି । ଏଠାରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ବା ଏକ୍ୟୁଆର ଲଗାତର ଭାବେ ବଢିବାରେ ଲାଗିଛି । ଏହାକୁ ନଜରରେ ରଖି ୪ ଦିନ ପୂର୍ବରୁ ବାୟୁ ଗୁଣବତ୍ତା ପ୍ରବନ୍ଧନ ଆୟୋଗ ନିର୍ଦ୍ଦିଷ୍ଟ କିଛି ପରିଯୋଜନାକୁ ଛାଡି ପୁରା ଦିଲ୍ଲୀରେ ସମସ୍ତ ପ୍ରକାର ନିର୍ମାଣ କାର୍ଯ୍ୟ ଉପରେ ରୋକ୍ ଲଗାଇ ଦେଇଥିଲେ । ଏହି କ୍ରମରେ ଗତକାଲି ଦିଲ୍ଲୀରେ ନିର୍ମାଣାଧୀନ ଏକ ବିଜେପି କାର୍ଯ୍ୟାଳୟର କାମ ମଧ୍ୟ ଦିଲ୍ଲୀ ସରକାର ବନ୍ଦ୍ କରି ଦେଇଛନ୍ତି। ଏହାସହିତ ନିୟମ ନମାନି ନିର୍ମାଣ କାର୍ଯ୍ୟ କରୁଥିବାରୁ ୫ ଲକ୍ଷ ଟଙ୍କା ଜୋରିମାନା ମଧ୍ୟ ଲଗାଇଛନ୍ତି।

Related Posts