ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜି ଅପରାହ୍ନରେ ସୁନ୍ଦରଗଡ଼ର ରିଜେଣ୍ଟ ମାର୍କେଟ ମସଜିଦରେ ମୁସଲିମ ସମ୍ପ୍ରଦାୟର ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ଉଭୟ ଗୋଷ୍ଠୀ ମଧ୍ୟରେ ମାଡ଼ପିଟ୍, ଧସ୍ତାଧସ୍ତି ହୋଇ ଥିବାବେଳେ ଗୋଟିଏ ଗୋଷ୍ଠୀର ଜଣେ ଯୁବକ ଫାଙ୍କା ଗୁଳିଚାଳନା କରିଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି। ଏହି ଘଟଣା ସଂପର୍କରେ ଖବର ପାଇ ଟାଉନଥାନା ପୁଲିସ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ।ପରେ ଦୁଇ ଗୋଷ୍ଠୀର ପୃଥକ ପୃଥକ ୨ଟି ଏତଲା ଦାଖଲ ହୋଇଛି ଓ ଏତଲା ଆଧାରରେ ପୁଲିସ ମାମଲା ରୁଜୁ କରିଛି।
ତେବେ ମସଜିଦକୁ ଆସିଥିବା ଏକ ଅନୁଦାନ ଅର୍ଥକୁ ନେଇ ଦୁଇ ଗୋଷ୍ଠୀ ମଧ୍ଯରେ କଥା କଟାକଟି ହୋଇ ସଂଘର୍ଷ ହୋଇଥିବା ପୁଲିସ କହିଛି। ରିଜେଣ୍ଟ ମାର୍କେଟରେ ଚାପା ଉତ୍ତେଜନା ଲାଗି ରହିଥିବାବେଳେ ଭାରପ୍ରାପ୍ତ ଏସଡିପିଓ ଗୋକୁଳାନନ୍ଦ ସାହୁଙ୍କ ତତ୍ତ୍ବାବଧାନରେ ପୁଲିସ ଫୋର୍ସ ମୁତୟନ କରାଯାଇଛି।