ନବମ ଶ୍ରେଣୀ ଏସ୍‌ଏ-୧ ପରୀକ୍ଷା ପ୍ରଶ୍ନପତ୍ର ୟୁଟ୍ୟୁବ୍‌ରେ ଭାଇରାଲ୍‌ ହେବା ଘଟଣା; କ୍ରାଇମ୍‌ବ୍ରାଞ୍ଚ୍‌ରେ ଏତଲା ଦେଲା ବୋର୍ଡ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଅକ୍ଟୋବର ୨୭ ତାରିଖରୁ ଆରମ୍ଭ ହୋଇଥିବା ନବମ ଶ୍ରେଣୀ ପ୍ରଥମ ସମେଟିଭ୍‌ ଆସେସ୍‌ମେଣ୍ଟ୍‌ (ଏସ୍‌ଏ-୧) ପରୀକ୍ଷାର ପ୍ରଶ୍ନପତ୍ର ସହ ଉତ୍ତର ୟୁଟ୍ୟୁବ୍‌ରେ ଭାଇରାଲ୍‌ ହୋଇଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ମାଧ୍ୟମିକ ଶିକ୍ଷା ପରିଷଦ ସଭାପତିଙ୍କୁ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ବର୍ତ୍ତମାନ ମିଳିଥିବା ସୂଚନା ଅନୁସାରେ ବୋର୍ଡ କର୍ତ୍ତୃପକ୍ଷ ଏନେଇ କ୍ରାଇମ୍‌ବ୍ରାଞ୍ଚ୍‌ରେ ଏତଲା ଦାଏର କରିଛନ୍ତି ।

ଏତଲାରୁ ମିଳିଥିବା ତଥ୍ୟ ଅନୁସାରେ ପରୀକ୍ଷାର ଦୁଇ ଘଣ୍ଟା ଆଗରୁ ୟୁଟ୍ୟୁବ୍‌ରେ ଏମ୍‌ପି ଷ୍ଟଡି ପଏଣ୍ଟ ନାମକ ଏକ ଅନ୍‌ଲାଇନ୍‌ କୋଚିଙ୍ଗ୍‌ ସଂସ୍ଥା ପ୍ରଶ୍ନପତ୍ର ଏବଂ ଏହାର ଉତ୍ତର ଭାଇରାଲ୍‌ କରୁଥିବା ଜଣାପଡ଼ିଛି । ଏହି ଘଟଣା ପଛରେ ସେଣ୍ଟର୍‌ ଦାୟିତ୍ୱରେ ଥିବା ପ୍ରଧାନଶିକ୍ଷକ ଏବଂ ଶିକ୍ଷକଙ୍କ ଭୂମିକା ସନ୍ଦେହ ଘେରକୁ ଆସିଛି । ନବମ ଶ୍ରେଣୀ ଏସ୍‌ଏ-୧ ପରୀକ୍ଷାର ସଂସ୍କୃତ ଓ ଗଣିତ ପ୍ରଶ୍ନପତ୍ର ଭାଇରାଲ୍‌ ହୋଇଥିବା ଜଣାଯାଇଛି ।

ପରୀକ୍ଷା ପୂର୍ବରୁ ଅନ୍‌ଲାଇନ୍‌ରେ ଭାଇରାଲ୍‌ ହୋଇଥିବା ସଂସ୍କୃତ ପ୍ରଶ୍ନପତ୍ରକୁ ୧୩ ହଜାର ଓ ଗଣିତ ପ୍ରଶ୍ନପତ୍ରକୁ ୩୫ହଜାରରୁ ଅଧିକ ଦର୍ଶକ ଦେଖିଥିବା ଜଣାଯାଇଛି । ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ବୋର୍ଡର ଏତଲା ଆଧାରରେ କ୍ରାଇମ୍‌ବ୍ରାଞ୍ଚ୍‌ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି । କ୍ରାଇମବ୍ରାଞ୍ଚ ସାଇବର୍‌ ସେଲ୍‌ର ଅଧିକାରୀ ପ୍ରଶ୍ନପତ୍ର ଭାଇରାଲ୍‌ ଘଟଣାର ଅନୁଧ୍ୟାନ କରୁଥିବା ସୂଚନା ମିଳିଛି । ଏସ୍‌ଏ-୧ର ଆଗକୁ ଥିବା ଅନ୍ୟ ପରୀକ୍ଷାର ପ୍ରଶ୍ନପତ୍ର ଯେପରି ଭାଇରାଲ୍‌ ନହୁଏ ସେଥିପ୍ରତି ସଜାଗ ରହିବାକୁ ବୋର୍ଡ କର୍ତ୍ତୃପକ୍ଷ ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Related Posts