
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜିଠାରୁ ଅଖିଳ ଭାରତୀୟ ଚିକିତ୍ସା ବିଜ୍ଞାନ ସଂସ୍ଥାନ (ଏମସ୍) ଦିଲ୍ଲୀରେ ନୂଆ ନିୟମ ଲାଗୁ ହୋଇଛି । ଏମସ ରେ ଆଜିଠାରୁ ଓପିଡି ରେଜିଷ୍ଟ୍ରେସନକୁ ନେଇ କିଛି ପରିବର୍ତ୍ତନ କରାଯାଇଛି । ଦୈନିକ ଦେଶର ବିଭିନ୍ନ ପ୍ରାନ୍ତରୁ ଏମସ୍ କୁ ହଜାର ହଜାର ରୋଗୀ ଚିକିତ୍ସା ପାଇଁ ଆସୁଥିବା ବେଳେ ସେମାନେ ଅନେକ ସମସ୍ୟାର ସାମ୍ନା କରିଥାନ୍ତି ।ତେଣୁ ଏସବୁ ଦୃଷ୍ଟିରୁ ବିଚାର କରି ଏହି ନୂଆ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି ।
ନଭେମ୍ବର ୧ ତାରିଖରୁ ରୋଗୀଙ୍କୁ ଏମ୍ସରେ ଓପିଡି ରେଜିଷ୍ଟ୍ରେସନ ପାଇଁ ଶୁଳ୍କ ଦେବାକୁ ପଡ଼ିବ ନାହିଁ । ଏଣିକି ପ୍ରତ୍ୟେକ ରୋଗୀଙ୍କୁ ୩୦୦ ଟଙ୍କା ପର୍ଯ୍ୟନ୍ତ ମାଗଣାରେ ଚିକିତ୍ସାରେ କରାଯିବ । ପୂର୍ବରୁ ଓପିଡି ରେଜିଷ୍ଟ୍ରେସନ ଶୁଳ୍କ ୧୦ ଟଙ୍କା ରହିଥିଲା । ଦିଲ୍ଲୀ ଏମ୍ସକୁ ଦୈନିକ ୧୨ ହଜାର ରୋଗୀ ଚିକିତ୍ସା ପାଇଁ ଯାଉଥିବା ବେଳେ ସେମାନେ ସମସ୍ତେ ଏହାର ଫାଇଦା ଉଠାଇବାର ସମ୍ଭାବନା ରହିଛି । ଏବେ ଏମ୍ସ ନିର୍ଦ୍ଦେଶକଙ୍କ ବଡ଼ ନିଷ୍ପତ୍ତି ପରେ ରୋଗୀଙ୍କୁ ଆଶ୍ୱସ୍ତି ମିଳିବ ।
ରୋଗୀଙ୍କୁ ସୁବିଧା ପ୍ରଦାନ ନେଇ ଏମସ୍ ଲଗାତର ପ୍ରୟାସ ଜାରି ରଖିଛି । ନିକଟରେ ଡା. ଏମ. ଶ୍ରୀନିବାସ ଏମସ୍ ର ନୂଆ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେବା ପରେ ସେ କିଛି ନୂଆ ପଦକ୍ଷେପ ନେଇଛନ୍ତି । ଏମ୍ସର କ୍ୟାନ୍ସର ବିଭାଗରେ ରୋଗୀଙ୍କ ପାଇଁ ଓପିଡି ରେଜିଷ୍ଟ୍ରେସନ ଟାଇମିଂରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ନୂଆ ଟାଇମିଂ ମୁତାବକ, ଏଣିକି ରୋଗୀମାରେ ସକାଳ ୮ଟାରୁ ଦ୍ୱିପ୍ରହର ୧ଟା ମଧ୍ୟରେ ରେଜିଷ୍ଟ୍ରେସନ କରିପାରିବେ । ରୋଗୀଙ୍କୁ ଦେଖିବା ପାଇଁ ପ୍ରତ୍ୟେକ ବିଭାଗରେ ଜଣେ ରେସିଡେଣ୍ଟ ଡାକ୍ତର ରୋଟେସନ ଆଧାରରେ କ୍ଲିନିକରେ ଉପସ୍ଥିତ ରହିବେ ।