ଭୁବନେଶ୍ୱର,୨୧/୨(ସତ୍ୟପାଠ ବ୍ୟୁରୋ): ଚଳିତ ଶିକ୍ଷାବର୍ଷରୁ କଳାହାଣ୍ଡି ମେଡିକାଲ କଲେଜରେ ଛାତ୍ରଛାତ୍ରୀ ଗ୍ରହଣ କରାଯିବା ସହିତ ଆରମ୍ଭ ହେବ ପାଠପଢ଼ା। ସେହିଭଳି ଆସନ୍ତା ବର୍ଷ ଯାଜପୁର ଓ କନ୍ଧମାଳ ଜିଲ୍ଲାରେ ଦୁଇଟି ଓ ୨୦୨୬ ସୁଦ୍ଧା ତାଳଚେରରେ ମଧ୍ୟ ପ୍ରତିଷ୍ଠା ହେବ ମେଡିକାଲ କଲେଜ। ଆଗକୁ ସବୁ ଜିଲ୍ଲା ସଦର ମହକୁମାରେ ମେଡିକାଲ କଲେଜ ଖୋଲିବାନେଇ ରାଜ୍ୟ ସରକାର ଯୋଜନା ରଖିଛନ୍ତି ବୋଲି କହିଛନ୍ତି ଡିଏମ୍ଇଟି ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି ।
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ରାଜ୍ୟରେ ବ୍ରହ୍ମପୁର, କଟକ ଓ ବୁର୍ଲା ସମେତ ମୋଟ ୧୦ଟି ସରକାରୀ ମେଡିକାଲ କଲେଜ ରହିଛି। ଏହା ସହିତ ୨ଟି ପୋଷ୍ଟ ଗ୍ରାଜୁଏଟ ଓ ଡେଣ୍ଟାଲ ମେଡିକାଲ କଲେଜ ରହିଛି। ପ୍ରତ୍ୟେକ ନୂତନ ମେଡିକାଲ କଲେଜରେ ୧୦୦ଟି ଲେଖାଏଁ ସିଟ ରହିଛି। ସେହିଭଳି ରାଜ୍ୟରେ ମୋଟ ୧୦ ଟି ମେଡିକାଲ କଲେଜରେ ମୋଟ ୧୪୦୦ ଏମବିବିଏସ ସିଟ ରହିଛି । ସବୁ ଜିଲ୍ଲାରେ ମେଡିକାଲ ଖୋଲିବା ପରେ ରାଜ୍ୟର ଡାକ୍ତର ଅଭାବ ସମସ୍ୟା ଦୂର ହେବ। ଏଥିପାଇଁ ରାଜ୍ୟ ସରକାର ବେଶ ଯତ୍ନବାନ ଓ ଭିତ୍ତିଭୂମିର ବିକାଶ କରାଯାଉଛି। ଏମବିବିଏସ ଡିଗ୍ରୀ ହାସଲ ପରେ ରାଜ୍ୟ ବାହାରକୁ ନଯିବା ପାଇଁ ଦୁଇ ବର୍ଷ ବଣ୍ଡ ବା ଚୁକ୍ତି କରାଯାଉଛି। ନକଲି ଡାକ୍ତରଙ୍କୁ ଚିହ୍ନଟ କରିବା ପାଇଁ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଏନେଇ ଆବଶ୍ୟକ ପଦକ୍ଷେପ ଖୁବଶୀଘ୍ର ନିଆଯିବ ବୋଲି ସେ କହିଛନ୍ତି।
