ଜି-୨୦ ଶିଖର ସମ୍ମିଳନୀରେ ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଚିନ୍ତା ପ୍ରକଟ: ବିଶ୍ବର ଅର୍ଥନୀତି ଉପରେ ପ୍ରଭାବ ପଡିଛି

ନୂଆଦିଲ୍ଲୀ: ଇଣ୍ଡୋନେସିଆ ଜି-୨୦ ଶିଖର ସମ୍ମିଳନୀ ଆୟୋଜିତ ହୋଇଛି । ତେବେ ଆୟୋଜିତ ଏହି ସମ୍ମିଳନୀରେ ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଶ୍ବବାସୀଙ୍କୁ ସମ୍ବୋଦ୍ଧିତ କରି ମୋଦି କହିଛନ୍ତି, ବିଶ୍ବ ଏବେ କଠିନ ପରିସ୍ଥିତି ଦେଇ ଗତି କରୁଛି । ୟୁକ୍ରେନ-ଋଷ୍ ଯୁଦ୍ଧ ବିଶ୍ବର ଅର୍ଥନୀତି ଉପରେ ପ୍ରଭାବ ପକାଇଛି ।

ସେହିପରି ମହାମାରୀ କୋଭିଡ୍ ଓ ଜଳବାୟୁ ପରିବର୍ତ୍ତନ ଯୋଗୁ ମଧ୍ୟ ଅର୍ଥନୀତିକୁ ପ୍ରଭାବିତ ହୋଇଛି ।

ପ୍ରାକୃତିକ ବିପର୍ଯ୍ୟୟ, କୋଭିଡ ମହାମାରୀ ଓ ୟୁକ୍ରେନ ଯୁଦ୍ଧ ପାଇଁ ବିଶ୍ବର ଅର୍ଥନୀତି ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି । ଅର୍ଥନୈତିକ ସଂକଟ ଭିତରେ ଜୁଝି ହେଉଛନ୍ତି ଅନେକ ଦେଶ । ଅଧିକାଂଶ ଦେଶର ଜିଡିପି ତଳ ମୁହାଁ ହୋଇଛି । ୟୁକ୍ରେନ୍ ଯୁଦ୍ଧ ପାଇଁ ସାମୁଦ୍ରିକ ପଥରେ ବ୍ୟବସାୟ ପ୍ରଭାବିତ ହୋଇଛି । କୃଷ୍ଣ ସାଗରରେ ଦେଇ ୟୁରୋପ ମହାଦେଶରୁ ଅତ୍ୟାବଶ୍ୟକ ସମାଗ୍ରୀ ଆମଦାନୀ ଓ ରପ୍ତାନୀ ଠପ୍ ହୋଇଯାଇଛି । ଏହା ଯୋଗୁ ଅଧିକାଂଶ ଦେଶରେ ରୋଜଗାର ପ୍ରଭାବିତ ହୋଇଛି । ତେଣୁ ଏହି କଠିନ ପରିସ୍ଥିତିରୁ ବିଶ୍ବକୁ ବାହାର କରିବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।

ମୋଦି କହିଛନ୍ତି, ଆମକୁ ଏହା ସ୍ବୀକାର କରିବାକୁ ପଡ଼ିବ ଯେ, ୟୁଏନ୍ ଭଳି ସଂସ୍ଥା ଏହି ଅର୍ଥନୈତିକ ମୁଦ୍ଦାରେ ସୁଧାର ଆଣିବାରେ ଅସଫଳ ହୋଇଛି । ବିଭିନ୍ନ ଦେଶ ମଧ୍ୟ ସଂସ୍କାର ଆଣିବାରେ ବିଫଳ ହୋଇଛନ୍ତି । ତେଣୁ ଜି-୨୦ ସମ୍ମିଳନୀ ମାଧ୍ୟମରେ ଏହି ପ୍ରସଙ୍ଗରେ ସମାଧାନର ରାସ୍ତା ଖୋଜିବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି । ଯୁକେନ୍-ଋଷ ଯୁଦ୍ଧରେ ବିରାମ ଲଗାଇବା ପାଇଁ କୁଟନୈତିକ ରାସ୍ତା ଖୋଜିବାକୁ ପଡ଼ିବ । ଦ୍ବିତୀୟ ବିଶ୍ବ ଯୁଦ୍ଧ ସମୟରେ ବିଶ୍ବରେ ଅର୍ଥନୈତିକ ସଂକଟ ମାଡ଼ିଆସିଥିଲା । ଏହି ସମୟରେ ଅଧିକାଂଶ ଦେଶର ମୁଖ୍ୟମାନେ ଶାନ୍ତି ପଥକୁ ଆପଣାଇଥିଲେ । ଏବେ ସମୟ ଆସିଛି ଆମ ମାନଙ୍କୁ ମଧ୍ୟ ସେହି ଶାନ୍ତିପଥକୁ ବାଛିବାକୁ ପଡ଼ିବ ବୋଲି ଜି-୨୦ ସମ୍ମିଳନୀରେ ମୋଦି କହିଛନ୍ତି

Related Posts