କୋଲକାତା: ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ତଥା ସାଂସଦ ଅଭିଶେକ ବାନାର୍ଜୀଙ୍କ ପାଇଁ ପୁଣି ବଢିଲା ଅଡ଼ୁଆ । ବହୁ ଚର୍ଚ୍ଚିତ ପଶ୍ଚିମବଙ୍ଗ କୋଇଲା ଦୁର୍ନୀତି ମାମଲାରେ ଟିଏମସି ନେତା ଅଭିଶେକ ବାନାର୍ଜୀଙ୍କୁ ଇଡି ସମନ ଜାରି କରିଛି । ଆସନ୍ତା ସେପ୍ଟେମ୍ବର ୨ ଶୁକ୍ରବାର ଦିନ ଇଡିରେ ହାଜର ହେବାକୁ ସମନ ଜାରି କରାଯାଇଛି ।

ଏହି ଘଟଣାରେ ଅଭିଶେକ ବାନାର୍ଜୀଙ୍କ ପତ୍ନୀ ମଧ୍ୟ ତଦନ୍ତ ପରିସରରେ ରହିଛନ୍ତି । ଏହା ପୂର୍ବରୁ କୋଇଲା ଦୁର୍ନୀତି ମାମଲାରେ ବାନାର୍ଜୀ ଦମ୍ପତିଙ୍କୁ ଏକାଧିକ ଥର ଜେରା କରିସାରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ୨୦୨୧ରେ ମଧ୍ୟ ଉଭୟଙ୍କୁ ସିବିଆଇ ଜେରା କରିଥିଲା । ଏହା ପୂର୍ବରୁ ଅଗଷ୍ଟ ୧୧ ତାରିଖରେ ଏହି ମାମଲାରେ ୮ଜଣ ସର୍ବ ଭାରତୀୟ ପୋଲିସ (IPS) ଅଧିକାରୀଙ୍କୁ ସମନ ଜାରି କରିଥିଲା ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ସମସ୍ତ ପୋଲିସ ଅଧିକାରୀମାନେ ଖଣି ବହୁଳ ଜିଲ୍ଲାଗୁଡିକରେ କାର୍ଯ୍ୟରତ ଥିବାବେଳେ କୋଇଲା ଉତ୍ତୋଳନ କ୍ଷେତ୍ରରେ ବ୍ୟାପକ ଅନିୟମିତତା ସାମ୍ନାକୁ ଆସିଥିଲା । ସେମାନେ ଦାୟିତ୍ବରେ ଥିବା ସତ୍ତ୍ବେ ମଧ୍ୟ ଏହା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଅଭିଯୋଗ ହୋଇଥିଲା । ଏପରିକି କିଛି ପୋଲିସ ଅଧିକାରୀ ସିଧାସଳଖ ମଧ୍ୟ ଏହି ଦୁର୍ନୀତିରେ ସାମିଲ ଥିବା ଜଣାପଡିଥିଲା।

ଯାହା ଫଳରେ ପରେ ଏହି ଘଟଣା ଇଡି ହାତକୁ ଯାଇଥିଲା ।