ଆଗକୁ ଆସୁଛି ପାର୍ବଣ : ‘ଦାଦାବଟିକୁ ନା’ ଅଭିଯାନକୁ କଡାକଡି କଲା କମିସନରେଟ୍‌ ପୁଲିସ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଗଣେଶ ପୂଜା ପର ଠାରୁ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଏହି ସମୟରେ କିଛି ଅସାଧୁ ବ୍ୟକ୍ତି ଦାଦାବଟି ମାଗିଥାନ୍ତି। ତେବେ ଏହାର ଦମନ କରିବା ପାଇଁ କଟକ କମିସନରେଟ୍‌ ପୁଲିସ ପକ୍ଷରୁ ଆରମ୍ଭ ହୋଇଥିଲା ‘ଦାଦାବଟିକୁ ନା’ ଅଭିଯାନ । ବିଶେଷ କରି ଅଭିଯୋଗକାରୀଙ୍କ ପରିଚୟକୁ ଗୋପନରେ ରଖି ଅପରାଧୀଙ୍କୁ ଗିରଫ କରିବା ଲକ୍ଷ୍ୟରେ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଥିଲା । ତେବେ କମିସନରେଟ ପୋଲିସର ଏହି ପ୍ରୟାସ ଗତ ବର୍ଷ ସଫଳ ହୋଇଥିଲା। ଚଳିତ ବର୍ଷ ପାର୍ବଣ ଋତୁ ଆସୁଥିବା କାରଣରୁ ‘ଦାଦାବଟିକୁ ନା’ ଅଭିଯାନକୁ ଆହୁରି କଡାକଡି କରିବାକୁ କଟକ ପୁଲିସ ନିଷ୍ପତ୍ତି ନେଇଛି । ଏଥିପାଇଁ ସବୁ ଥାନା ଗୁଡ଼ିକୁ ଆଲର୍ଟ କରାଯାଇଛି ।

କିଛି ବ୍ୟକ୍ତି ବିଶେଷଙ୍କୁ ପ୍ରତିବର୍ଷ ଏଭଳି କିଛି ଅସାଧୁ ବ୍ୟକ୍ତି ହଇରାଣ ହରକତ କରିଥାନ୍ତି ସେମାନଙ୍କୁ ଅପରାଧୀଙ୍କ ଦାଉରୁ ଦୂରେଇ ରଖିବା ପାଇଁ କମିଶନରେଟ ପୋଲିସ ବିଶେଷ ଯୋଜନା କରିଥିଲା । ଖାସ୍‌ କରି ବଟି ପାଇଁ ଧମକ ପାଉଥିବା ବ୍ୟକ୍ତିଙ୍କ ନାଁ ଗୋପନ ରଖାଯାଇ ଯୋଜନା ଲାଗୁ କରିବାକୁ ଗତବର୍ଷ ନିଷ୍ପତ୍ତି ନିଆଯାଇଥିଲା । 

ଏହି ରଣନୀତିକୁ ଦଶହରା ସମୟରୁ ବାଲିଯାତ୍ରା ପର୍ଯ୍ୟନ୍ତ ଜୋରଦାର କରାଯାଇଥିଲା । ଫଳରେ କିଛି ଅପରାଧୀ ସହର ଛାଡ଼ି ଚାଲି ଯାଇଥିଲେ । ତେବେ ଚଳିତ ବର୍ଷ ପୁଣିଥରେ ପାର୍ବଣ ଋତୁ ଆସିଛି । ତେଣୁ ଚଳିତ ବର୍ଷ ମଧ୍ୟ ଏହି ରଣନୀତି ଆପଣେଇ ଅପରାଧୀଙ୍କୁ ସାବାଡ୍‌ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏବେ ଥାନାୱାରୀ ପ୍ରସ୍ତୁତ ହୋଇଥିବା ଅପରାଧୀଙ୍କ ତାଲିକା ଉପରେ ନଜର ରଖାଯାଇଛି । ସେହି ଅପରାଧୀମାନେ ଯଦି କାହାକୁ ବଟି ପାଇଁ ଚାପ ପକାଉଛନ୍ତି ତାହାଲେ ସେମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ତେବେ ପୁଲିସ ସାଧାରଣ ଜନତାଙ୍କଠାରୁ ସହଯୋଗ ମଧ୍ୟ ଲୋଡ଼ିଛି । କଟକରୁ ଦାଦାବଟି ଆଦାୟ ସଂପୂର୍ଣ୍ଣ ଭାବେ ମୂଳପୋଛ କରିବା ପାଇଁ ଡିସିପି ପ୍ରତୀକ ସିଂହ ଆଶା ପ୍ରକାଶ କରିଛନ୍ତି ।

Related Posts