
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବର୍ତ୍ତମାନ ଆତ୍ମହତ୍ୟାର ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ପାରିବାରିକ କଳହ, ପ୍ରେମ ପ୍ରତାରଣା, ଅର୍ଥନୈତିକ ସମସ୍ୟା ଭଳି ଅନ୍ୟାନ୍ୟ କାରଣ ପାଇଁ ସିନେ ତାରକାଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକ ସମସ୍ତେ ଆତ୍ମହତ୍ୟାକୁ ଆପଣେଇ ନେଉଛନ୍ତି। ୨୦୨୧ ଏନ୍ସିଆର୍ବି ରିପୋର୍ଟ ମୁତାବକ, ଆତ୍ମହତ୍ୟା ମାମଲା ଦେଶରେ ୧୨ ପ୍ରତିଶତ ରହିଥିବାବେଳେ ଓଡିଶାରେ ୧୨.୫ ପ୍ରତିଶତ ରହିଛି।ଜାତୀୟ ହାରଠାରୁ ଓଡ଼ିଶାରେ ଆମତ୍ହତ୍ୟା ହାର ଅଧିକ ଥିବାରୁ ରାଜ୍ୟରେ ଏନେଇ ଅଧିକ ସଚେତନତା ଆବଶ୍ୟକ ରହିଛି। ଏଥିସହ ଆତ୍ମହତ୍ୟା ପ୍ରବଣତା ପଛର କାରଣ ବୁଝାଇଛନ୍ତି ମାନସିକ ରୋଗ ବିଶେଷଜ୍ଞ ଡା. ସୌମିତ୍ର ପଠାରେ। ରବିବାର ପୋଲିସ ସେବା ଭବନରେ ଭୁବନେଶ୍ୱର-କଟକ କମିଶନରେଟ ପୋଲିସ ପକ୍ଷରୁ ‘ସୁଇସାଇଡ୍ ଆଣ୍ଡ୍ ଲ’ ଏନ୍ଫୋର୍ସମେଣ୍ଟ’ ସମ୍ପର୍କିତ କର୍ମଶାଳା ଆୟୋଜିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଡ. ପଠାରେ ଯୋଗଦେଇ କହିଛନ୍ତି, କ୍ରମାଗତ ଭାବେ ଆତ୍ମହତ୍ୟା ମାମଲା ବୃଦ୍ଧି ପାଇବା ଜନସାଧାରଣଙ୍କ ମନରେ ଏକ ନକାରାତ୍ମକ ଭାବନା ସୃଷ୍ଟି କରୁଛି। ତେଣୁ ଆତ୍ମହତ୍ୟାର କାରଣ, ନିରାକରଣ, ତଦନ୍ତର ଦିଗ ଉପରେ ସେ ତର୍ଜମା କରି ବିଶ୍ଳେଷଣାତ୍ମକ ତଥ୍ୟ ରଖିଥିଲେ। ସେହିଭଳି ଆତ୍ମହତ୍ୟା କ୍ଷେତ୍ରରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହୁଥିବାରୁ ବହୁ ଯତ୍ନଶୀଳ ହୋଇ ଖବର ପରିବେଷଣ କରିବା ନିହାତି ଆବଶ୍ୟକ ବୋଲି ସେ କହିଥିଲେ। ଏଥିସହ ଆତ୍ମହତ୍ୟା ତଥ୍ୟକୁ ଠିକ ଭାବରେ ସଂଗ୍ରହ କରିବାକୁ ପୋଲିସ ଅଧିକାରୀଙ୍କୁ ଡ. ପଠାରେ ପରାମର୍ଶ ଦେବା ସହ ରାଜ୍ୟରେ ବୃଦ୍ଧି ପାଉଥିବା ଆତ୍ମହତ୍ୟାର ମୁକାବିଲା ପାଇଁ ସାମଗ୍ରିକ ରଣନୀତି ପ୍ରସ୍ତୁତ କରିବାକୁ ଓଡ଼ିଶା ସରକାରଙ୍କୁ ଅନୁରୋଧ କରିଛନ୍ତି।
ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି ଯେ, ସମାଜରେ ଆତ୍ମହତ୍ୟାକୁ ସମ୍ପୂର୍ଣ୍ଣ ରୋକାଯାଇପାରିବ ନାହିଁ। କିଛି ଲୋକଙ୍କ ପାଖରେ ଜନ୍ମରୁ ଆତ୍ମହତ୍ୟା ପ୍ରବଣତା ଦେଖାଯାଏ। ଆଉ ଯେଉଁମାନେ ଆତ୍ମହତ୍ୟା କରୁଛନ୍ତି ତାହା ଭୁଲ୍ ଧାରଣା। ଏଭଳି କ୍ଷେତ୍ରରେ କମିଶନରେଟ ପୋଲିସର ଏହି କର୍ମଶାଳା ନିଆର ପଦକ୍ଷେପ ବୋଲି ସେ କହିଥିଲେ। ଏହି କର୍ମଶାଳାରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଅତିରିକ୍ତ ପୋଲିସ କମିଶନର ଉମାଶଙ୍କର ଦାଶ, ଭୁବନେଶ୍ୱର ଡିସିପି ପ୍ରତୀକ ସିଂଙ୍କ ସହ ବହୁ ପୋଲିସ ଅଧିକାରୀ, ମନସ୍ତତ୍ତ୍ୱବିତ୍ ଓ ବିଶେଷଜ୍ଞ ଉପସ୍ଥିତ ଥିଲେ।