ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦୀପାବଳି ପାଇଁ ଦ୍ୱୈତନଗରୀ କଟକ ଓ ଭୁବନେଶ୍ୱରରେ ବାଣ ବିକିବା ଓ ଫୁଟାଇବା ଉପରେ କମିଶନରେଟ୍ ପୁଲିସ କଟକଣା ଜାରି କରିଛି । ଦିପାବଳୀରେ ରାତି ୮ ଟାରୁ ୧୦ ଟା ପର୍ଯ୍ୟନ୍ତ ବାଣ ଫୁଟାଇବାକୁ ସମୟ ଧାର୍ଯ୍ୟ ହୋଇଛି । ଏହି ସମୟ ମଧ୍ୟରେ ୧୨୫ ଡେସିବାଲରୁ କମ୍ ଶଦ୍ଦଯୁକ୍ତ ବାଣ ଫୁଟାଇ ପାରିବେ । ଏହି ନିୟମକୁ କଡ଼ାକଡି଼ କରିବାକୁ କମିଶନରେଟ୍ ପୁଲିସ ଅଧୀନରେ ଥିବା ସମସ୍ତ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି ନିୟମ ଉଲ୍ଲଘଂନ କଲେ ଜୋରିମାନା ଆଦାୟ ସହ ଜେଲ୍ ଦଣ୍ଡ ଭଳି କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
ବାଣ ଦୋକାନ ଗୁଡିକରେ କେବଳ ପେଟ୍ରୋଲିୟମ ଆଣ୍ଡ ଏକ୍ସପ୍ଲୋସିଭ୍ ସେଫଟି ଅର୍ଗାନାଇଜେସନ (ପେସୋ) ଦ୍ୱାରା ଅନୁମୋଦିତ ସବୁଜ ବାଣ ବିକ୍ରି କରାଯାଇ ପାରିବ । ବାଣ ଦୋକାନୀମାନେ ଲାଇସେନ୍ସପ୍ରାପ୍ତ ଟ୍ରେଡର କିମ୍ବା ହୋଲସେଲର ଠାରୁ ବାଣ କିଣିପାରିବେ । କୌଣସି ବାଣର ଶଦ୍ଦ ପ୍ରଦୂଷଣ ମାତ୍ରା ୧୨୫ ଡେସିବଲ୍ରୁ ଅଧିକ ରହିବନି । ସେହିପରି ଅନୁମତି ମିଳିଥିବା ୩୦ଟି ପଡି଼ଆରେ ବାଣ ଦୋକାନ ଖୋଲାଯିବ । ଦୋକାନରେ ଦହନଶୀଳ ପଦାର୍ଥ ରହିବନି । ଟିଣ ଚାଦରରେ ଦୋକାନ ବନାଯିବ । ପ୍ରତି ବାଣ ଦୋକାନ ଭିତରେ ୩ ମିଟର ଦୂରତା ରହିବ । ବାଣ ଦୋକାନଠୁ ୧୦୦ ମିଟର ପରିଧି ଭିତରେ କୌଣସି ଶିକ୍ଷାନୁଷ୍ଠାନ, ମାର୍କେଟ, ବାସଭବନ, ହସ୍ପିଟାଲ ରହିବ ନାହିଁ । ବାଣ ଦୋକାନ ସାମ୍ନାରେ ଅଗ୍ନି ପ୍ରତିହତ ପାଇଁ ଯନ୍ତ୍ର ରହିବ । ଦୋକାନୀମାନେ ବାଲଟି କିମ୍ବା ବାଲି ବସ୍ତା ଗଚ୍ଛିତ ରଖିବେ । ବଡ଼ କଥା ହେଲା, ଅନ୍ଲାଇନ୍ ସପିଂ ସଂସ୍ଥା ବାଣ ବିକି ପାରିବେନି ବୋଲି କମିଶନରେଟ ପୋଲିସ ନିର୍ଦ୍ଦେଶନାମା ଜାରି କରିଛି ।
ସେହିପରି ବାଣ ଫୁଟାଇବା ପାଇଁ ଜାରି ହୋଇଥିବା କଟକଣାଗୁଡିକ ହେଲା, ଜନବସତି ଠାରୁ ଦୂରତାରେ ଖୋଲା ପଡ଼ିଆରେ ସାମୁହିକ ବାଣ ଫୁଟ।।ଇ ପାରିବେ । ବାଣ ଫୁଟାଇବା ସମୟରେ ଆଶୁ ଚିକିତ୍ସା ବାକ୍ସ ପାଖରେ ରଖନ୍ତୁ । ବାଣ ବଳିଲେ ତାକୁ ପାଣିରେ ବୁଡ଼ାଇ ଦିଅନ୍ତୁ । ହାତରେ ଧରି ବାଣ ଫୁଟାନ୍ତୁ ନାହିଁ । ଚାଇନା ବାଣ ବା ହାର ଭଳି ଲମ୍ବିଥିବା ବାଣର ବିକ୍ରି ଓ ଫୁଟାଇବା ଉପରେ ସଂପୂର୍ଣ୍ଣ ରୋକ୍ ଲାଗିଛି । ହସ୍ପିଟାଲ୍, ନର୍ସିଂହୋମ୍, ସ୍ୱାସ୍ଥ୍ୟକେନ୍ଦ୍ର, ଶିକ୍ଷାନୁଷ୍ଠାନ, କୋର୍ଟ, ଧାର୍ମିକ ଅନୁଷ୍ଠାନ ଓ ଅନ୍ୟ ସାଇଲେନ୍ସ ଜୋନ୍ରେ ବାଣ ଫୁଟି ପାରିବ ନାହିଁ । କୌଣସି ଅଘଟଣ ଘଟିଲେ, ତୁରନ୍ତୁ ଡାଏଲ୍-୧୧୨ ଓ ଦମକଳ କେନ୍ଦ୍ର (୧୦୧)କୁ ଫୋନ୍ କରିବାକୁ ଅନୁରୋଧ କରାଯାଇଛି ।
