ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨: ଭାରତକୁ ମିଳିଲା ପଞ୍ଚମ ପଦକ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ଚମକୁଛନ୍ତି ଭରତୀୟ ଖେଳାଳି । ଭାରତ ଗୋଟିଏ ପରେ ଗୋଟିଏ ପଦକ ହାସଲ କରିବାରେ ଲାଗିଛି । ଏହାରି ମଧ୍ୟରେ ଭାରତର ପଦକ ସଂଖ୍ୟା ୫ କୁ ବୃଦ୍ଧି ପାଇଛି। ଜେରେମି ଲାଲନିରୁଙ୍ଗା ରବିବାର ପୁରୁଷ ଭାରୋତ୍ତୋଳନର ୬୭ କିଲୋ ଭାର ବର୍ଗରେ ସ୍ଵର୍ଣ୍ଣ ପଦକ ଜିତିଛନ୍ତି। ଜେରେମି ସ୍ନାଚ୍‌ରେ ରେକର୍ଡ ୧୪୦ କିଲୋ ଓଜନ ଉଠାଇଥିବା ବେଳେ କ୍ଲିନ ଆଣ୍ଡ ଜର୍କରେ ୧୬୦ କିଲୋ ଓଜନ ଉଠାଇବାରେ ସଫଳ ହୋଇଛନ୍ତି। ଅର୍ଥାତ ସେ ରେକର୍ଡ ପ୍ରତିଷ୍ଠା କରି ମୋଟ୍ ୩୦୦ କିଲୋ ଓଜନ ଉଠାଇ ସ୍ଵର୍ଣ୍ଣ ପଦକ ଜିତିଛନ୍ତି।

ଖାସ୍ କଥା ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ଭାରତକୁ ସମସ୍ତ ପାଞ୍ଚ ପଦକ ଭାରୋତ୍ତୋଳନରୁ ମିଳିଛି। ଟୋକିଓ ଅଲିମ୍ପିକର ରୌପ୍ୟ ପଦକ ବିଜେତା ମୀରାବାଇ ଚାନୁ ୪୯ କିଲୋ ଭାର ବର୍ଗରେ ସ୍ଵର୍ଣ୍ଣ ପଦକ ଜିତିଛନ୍ତି। ସେହିପରି ସଙ୍କେତ ମହାଦେବ ପୁରୁଷ ୫୫ କିଲୋ ଭାରବର୍ଗ ଏବଂ ବିନ୍ଦିୟାରାମୀ ଦେବୀ ମହିଳା ୫୫ କିଲୋ ଭାର ବର୍ଗରେ ରୌପ୍ୟ ପଦକ ଜିତିଛନ୍ତି। ଏହା ବାଦ୍ ଗୁରୁରାଜା ପୂଜାରୀ ୬୧ କିଲୋ ଭାର ବର୍ଗରେ କାଂସ୍ୟ ପଦକ ଜିତିବାରେ ସଫଳ ହୋଇଥିଲେ।

ଜେରେମି ୨୦୧୮ ଗ୍ରୀଷ୍ମକାଳୀନ ୟୁଥ ଅଲିମ୍ପିକରେ ଯୁବକ ୬୨ କିଗ୍ରା ବର୍ଗ ଭାରୋତ୍ତୋଳନରେ ସ୍ଵର୍ଣ୍ଣ ପଦକ ଜିତିଥିଲେ। ଏଥିସହ ୟୁଥ ଅଲିମ୍ପିକରେ ସ୍ଵର୍ଣ୍ଣ ପଦକ ଜିତିବାରେ ପ୍ରଥମ ଭାରତୀୟ ଖେଳାଳି ହେବାର ରେକର୍ଡ କରିଥିଲେ। ପୁଣି ଏସୀୟ ଭାରୋତ୍ତୋଳନ ଚାମ୍ପିଅନସିପରେ ମଧ୍ୟ ରୌପ୍ୟ ପଦକ ନିଜ ନାମରେ କରିଥିଲେ।

୧୯ ବର୍ଷୀୟ ଜେରେମି ଲାଲନିରୁଙ୍ଗା ଗତ ବର୍ଷ ଆୟୋଜିତ ରାଜ୍ୟଗୋଷ୍ଠୀ ଚାମ୍ପିଅନସିପର ପୁରୁଷ ୬୭ କିଲୋ ଭାରବର୍ଗରେ ସ୍ଵର୍ଣ୍ଣ ପଦକ ଜିତି ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ। ତାସକେଣ୍ଟରେ ଆୟୋଜିତ ଏହି ପ୍ରତିଯୋଗିତାରେ ଜେରେମି ୩୦୫ କିଲୋ ଓଜନ ଉଠାଇ ସ୍ଵର୍ଣ୍ଣିମ ସଫଳତା ହାସଲ କରିଥିଲେ।

Related Posts