ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦିବ୍ୟାଙ୍ଗ ଓ ଅସୁସ୍ଥ ସଫେଇ କର୍ମଚାରୀଙ୍କୁ ମିଳିବ କ୍ଷତିପୂରଣ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କ୍ଷତିପୂରଣ ବ୍ୟବସ୍ଥାକୁ ଅନୁମୋଦନ କରିଛନ୍ତି । ଏହା ସହ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆଜି ଏ ସମ୍ପର୍କରେ ବିଜ୍ଞପ୍ତି ଜାରି ହୋଇଛି । ସେପଟେ ସଫେଇ କର୍ମଚାରୀଙ୍କ ନିରାପତ୍ତା ଓ ସମ୍ମାନକୁ ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ୨୦୨୦ ସେପ୍ଟେମ୍ବର ୧୧ ତାରିଖରେ ଗାରିମା ଯୋଜନା ଆରମ୍ଭ କରିଥିଲେ । ପ୍ରାୟ ୨୦ ହଜାର ପରିମଳ କର୍ମଚାରୀ ଏଥିରେ ଉପକୃତ ହେଉଛନ୍ତି । ଏହି ଯୋଜନା ଦେଶରେ ପ୍ରଥମ ହୋଇଥିବାରୁ ଗାରିମା ଗୋର ସଫେଇ କର୍ମଚାରୀ ଓ ସେମାନଙ୍କ ପରିବାରକୁ ସେବା, ସାମାଜିକ ସୁରକ୍ଷା ଓ ଆର୍ଥିକ ଲାଭର ଏକ ବିସ୍ତୃତ ପ୍ୟାକେଜ ପ୍ରଦାନ କରିବାକୁ ଯୋଜନା ହୋଇଛି । ଏହା ଫଳରେ ପରିମଳ ସେବା ଯୋଗାଣ ନିୟନ୍ତ୍ରିତ ହୋଇପାରିବ । ଘୋଷଣା ହେବା ପରଠାରୁ ଏହି ଯୋଜନା ଅନେକ ମାଇଲଖୁଣ୍ଟ ଅତିକ୍ରମ କରିଛି । କୋର ସଫେଇ କର୍ମଚାରୀଙ୍କ କଲ୍ୟାଣ ତଥା ସୁରକ୍ଷା ସୁନିଶ୍ଚିତ କରିବା ପାଇଁ କ୍ଷେତ୍ର ପ୍ରସ୍ତୁତିରେ ଏହା ସହାୟକ ହୋଇ ପାରିଛି ।
ବେତନର ୧୫ ପ୍ରତିଶତର ରିସ୍କ ଏଣ୍ଡ ହାର୍ଡସିପ ଭତ୍ତା ମଧ୍ୟ କୋର ସଫେଇ କର୍ମଚାରୀ ଗ୍ରେଡ-୧ ସପକ୍ଷରେ ଅନୁମୋଦିତ ହୋଇଛି । ଦିବ୍ୟାଙ୍ଗ ଓ ଅସୁସ୍ଥ ସଫେଇ କର୍ମଚାରୀ ବିପଦଜ୍ଜନକ ଅବସ୍ଥାରେ କାର୍ଯ୍ୟ କରିବା ସମୟରେ ଆଘାତ ଓ ସଂକ୍ରମଣ ହେବାର ଆଶଙ୍କା ରହିଛି । ଯାହାକି ଆଂଶିକ ଓ ସ୍ଥାୟୀ ଅକ୍ଷମତା ସୃଷ୍ଟି କରିପାରେ । ତେଣୁ ସେମାନଙ୍କୁ ଭତ୍ତା ପ୍ରଦାନ ପାଇଁ ଯୋଜନା ରହିଛି । ଏହା ସହ କୋର ସଫେଇ କର୍ମଚାରୀ ମଧ୍ୟ ବିଦ୍ୟମାନ କର୍ମଚାରୀ କ୍ଷତିପୂରଣ ଅଧିନିୟମ, ୧୯୨୩ କିମ୍ବା କର୍ମଚାରୀଙ୍କ ରାଜ୍ୟ ବୀମା ଅଧିନିୟମ ୧୯୪୮ ମାଧ୍ୟମରେ ଅକ୍ଷମତା କ୍ଷତିପୂରଣ ପାଇବେ । ଯେଉଁଠାରେ କୋର ସଫେଇ କର୍ମଚାରୀଙ୍କ ଯୋଗ୍ୟତା ଉପରୋକ୍ତ ଅଧିନିୟମ ପୂରଣ କରିବ ନାହିଁ । ସେଠାରେ ବିଦ୍ୟମାନ ଶ୍ରମ ଆଇନ ଅନୁଯାୟୀ ସେମାନଙ୍କୁ ଏହା ପ୍ରଦାନ କରାଯିବ । କର୍ମଚାରୀ କ୍ଷତିପୂରଣ ଆଇନ, ୧୯୨୩ ଓ କର୍ମଚାରୀଙ୍କ ରାଜ୍ୟ ବୀମା ଅଧିନିୟମ ଓ ଏଥିରେ ପ୍ରସ୍ତୁତ ହୋଇଥିବା ଯୋଜନାଗୁଡ଼ିକ ଗାରିମା ଅଧିନରେ ସୃଷ୍ଟି ହୋଇଥିବା କର୍ପସ ପାଣ୍ଠି ମାଧ୍ୟମରେ ସେମାନଙ୍କୁ ପ୍ରଦାନ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଅନ୍ୟପଟେ ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ ସବୁଠାରୁ ସମ୍ବେଦନଶୀଳ ଲୋକଙ୍କୁ ସୁରକ୍ଷା ତଥା ସକ୍ଷମ କରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରଦର୍ଶନ କରୁଛି । ଭବିଷ୍ୟତରେ ଏହି କଲ୍ୟାଣମୂଳକ ପଦକ୍ଷେପ ପ୍ରଦାନ ଦିଗରେ ପ୍ରତିବଦ୍ଧତା ପ୍ରକ୍ରିୟା ମଧ୍ୟ ଜାରି ରହିବ ବୋଲି ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।
