ଶ୍ରୀମନ୍ଦିର ଚୁଲି ଭାଙ୍ଗିବା ଘଟଣାରେ ରୋଷଘରର ସୁରକ୍ଷା ବ୍ୟବସ୍ଥାକୁ ନେଇ ବଢ଼ିଲା ଚିନ୍ତା: ରୋଷଘରେ ଲାଗିବ ସିସିଟିଭି

ପୁରୀ : ଗତକିଛି ଦିନ ହେବ ଶ୍ରୀମନ୍ଦିର ଚୁଲି ଭାଙ୍ଗିବା ଘଟଣାକୁ ନେଇ ରାଜ୍ୟରେ ଏବେ ଚର୍ଚା ଜୋର ଧରିଛି | ପୋଲିସ ଏହି ଘଟଣାରେ ଅଭିଯୁକ୍ତ କୁ ଗିରଫ କରିଛି କିନ୍ତୁ ଏହି ଘଟଣା ପରଠୁ ରୋଷଘରର ସୁରକ୍ଷା ବ୍ୟବସ୍ଥାକୁ ନେଇ ଚିନ୍ତା ବଢିଯାଇଛି । ଏହି ଘଟଣା ପାଇଁ ଦାୟୀ କିଏ ତାହାର ତଦନ୍ତ ଜାରି ରହିଛି। ଏହାସହ ଅଭିଯୁକ୍ତକୁ ନେଇ ଟିଆଇ ପରେଡ୍ କରିପାରେ ପୁଲିସ। ରୋଷଘରେ ସିସିଟିଭି ଲଗାଇବା ସହ ସୁରକ୍ଷା ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି।

ସେପଟେ ଅଭିଯୁକ୍ତ ଜଗନ ମହାପାତ୍ରକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ତାକୁ ଗିରଫ କରାଯିବା ପରେ କୋର୍ଟରେ ହାଜର କରାଯାଇଥିଲା। ପୁରୀ ଏସ୍‌ଡିଜେଏମ୍ କୋର୍ଟ ଜାମିନ ନାମଞ୍ଜୁର କରିଥିଲେ। କୋର୍ଟ ଚାଲାଣ ବେଳେ ଚାଞ୍ଚଲ୍ୟକର ବୟାନ ଦେଇ କହିଛି, ‘ମୁଁ ନିଜ ହାତରେ ଭାଙ୍ଗିଛି ରୋଷଘର ଚୁଲି। ପ୍ରଭୁ ଜଗନ୍ନାଥଙ୍କୁ ବହୁତ ଭଲ ପାଏ, ତାଙ୍କୁ ଭକ୍ତି କରେ। କିଛି ଲୋକ ଖାଇବାକୁ ପାଉନାହାନ୍ତି ତ ଆଉ କାହାର ବହୁତ ଖାଦ୍ୟ ଅଛି। ଏହାକୁ ନେଇ ମନରେ ଅଭିମାନ ଥିବାରୁ ଘଟଣା ଦିନ ରୋଷ ଘରକୁ ଯାଇ ସେଠି କେହି ନଥିବା ଦେଖି ନିଜ ହାତରେ ଚୁଲି ଭାଙ୍ଗିଥିଲି।’

ତେବେ କାହା ଚାପରେ କି ପ୍ରରୋଚନାରେ ଭାଙ୍ଗିନି ବୋଲି ସେ ସଫେଇ ଦେଇଛି। ହେଲେ ସେ ହାତରେ କେମିତି ଏତେ ଚୁଲି ଭାଙ୍ଗିଲା ତାକୁ ନେଇ ଏବେ ଉଠିଛି ପ୍ରଶ୍ନ।

ସୂଚନାଯୋଗ୍ୟ, ରବିବାର ବିଳମ୍ୱିତ ରାତିରେ ଶ୍ରୀମନ୍ଦିର ରୋଷଶାଳାରେ ପଶି ପ୍ରାୟ ୮୦ରୁ ଅଧିକ ଚୁଲି ଭାଙ୍ଗି ଦିଆଯାଇଥିଲା। ଯେଉଁଥିପାଇଁ ମହାପ୍ରଭୁଙ୍କ ଅବଢ଼ା ପ୍ରସ୍ତୁତିରେ ବ୍ୟାଘାତ ସୃଷ୍ଟି ହୋଇଥିଲା। ମହାପ୍ରଭୁଙ୍କ ନୀତିକାନ୍ତିରେ ମଧ୍ୟ ବ୍ୟାଘାତ ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇବା ପରେ ପ୍ରଶାସନର ଚେତା ପଶିଥିଲା। ପୋଲିସ ସିସିଟିଭି ଫୁଟେଜ କୁ ଆଧାର କରି ତଦନ୍ତ ଆରମ୍ଭ କରିଥିଲା |

Related Posts