ଶିଶୁପାଳଗଡ଼ ଲିଙ୍ଗିପୁର ହାଉସିଂବୋର୍ଡ ଛକରୁ ଏଟିଏମ୍ ଲୁଟ ଘଟଣା: ରାଜସ୍ଥାନ ଏଟିଏମ୍ ଲୁଟ ଘଟଣା ସହ ରହିଛି ସାମଞ୍ଜସ୍ୟ ! ପୋଲିସର ତଦନ୍ତ

ଭୁବନେଶ୍ୱର: ଗତକାଲି ଶିଶୁପାଳଗଡ଼ ଲିଙ୍ଗିପୁର ହାଉସିଂବୋର୍ଡ ଛକରୁ ଏଟିଏମ୍ ଉପାଡ଼ି ନେଇଛନ୍ତି ଦୁର୍ବୁତ୍ତ | ଏଥିରେ ଥିବା ୨୦ ଲକ୍ଷ ଲୁଟ୍ ହୋଇଛି | ତେବେ ଲୁଟ ଘଟଣା ପୋଲିସ ପାଇଁ ଚ୍ୟଲେଞ୍ଜ ପାଲଟିଥିବା ବେଳେ, ଏହି ଘଟଣା ରାଜସ୍ଥାନ ଏଟିଏମ୍ ଲୁଟ ଘଟଣା ସହ ସାମଞ୍ଜସ୍ୟ ରଖୁଛି | ଦୁଇଟି ଏଟିଏମ୍ ଲୁଟ୍ ଘଟଣା ଗୋଟିଏ ଢଙ୍ଗରେ ହୋଇଛି। ଏଥିପାଇଁ ଦୁଇ ଘଟଣାର ଅନୁଧ୍ୟାନ କରାଯାଉଛି।

ରାଜସ୍ଥାନରେ ଏଟିଏମ୍ ଲୁଟ୍‌ରେ ସଂପୃକ୍ତ ଲୁଟେରା କିଭଳି ଲୁଟ୍ କରିଥିଲେ, ସେମାନଙ୍କ ହାବଭାବ କିଭଳି ଥିଲା, ଧଉଳି ଲୁଟ୍ ଘଟଣା ସହିତ କିଛି ସାମଞ୍ଜସ୍ୟ ଅଛି ନା ନାହିଁ ତାର ଖୋଳତାଡ଼ କରାଯାଉଛି। ଏହି ଲୁଟ୍‌ରେ ଅନ୍ତଃରାଜ୍ୟ ଲୁଟେରା ସାମିଲ ଥିବା ବି ସନ୍ଦେହ କରାଯାଉଛି। ତେଣୁ ସେହି ଦିଗରେ ତଦନ୍ତ କରୁଛି ପୁଲିସ। କାଳେ କିଛି ଖିଅ ମିଳିପାରେ ସେଥିପାଇଁ ବିଭିନ୍ନ ହୋଟେଲରେ ଯାଞ୍ଚ କରାଯାଉଛି । ଏହା ସହିତ ଆଖପାଖ ସିସିଟିଭିକୁ ମଧ୍ୟ ଖୋଳତାଡ଼ କରୁଛି ପୁଲିସ।

ଉଲ୍ଲେଖଯୋଗ୍ୟ, ଏପ୍ରିଲ ୪ ତାରିଖ ବିଳମ୍ୱିତ ରାତିରେ ଦୁର୍ବୃତ୍ତମାନେ ଶିଶୁପାଳଗଡ଼-ଲିଙ୍ଗିପୁର ହାଉସିଂବୋର୍ଡ ଛକରେ ଥିବା ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) ଏଟିଏମ୍‌ର ବିଦ୍ୟୁତ ସଂଯୋଗ କାଟିଥିଲେ। ପରେ ସିସିଟିଭିକୁ ଭାଙ୍ଗି ଦେଇଥିଲେ। ତା’ପରେ ଏଟିଏମ୍‌କୁ ତାଡି ନେଇଯିବାକୁ ଯୋଜନା କରିଥିଲେ।

ହେଲେ ଏଟିଏମ୍‌ର ଓଜନ ପ୍ରାୟ ସାଢେ ୩ କ୍ୱିଣ୍ଟାଲ ହୋଇଥିବାରୁ ନେବା ସମ୍ଭବ ହୋଇନଥିଲା। ଏହା ପରେ ସେମାନେ ଏମ୍‌.ଏସ୍‌. ନର୍ସରୀ ବାହାରେ ଠିଆ ହୋଇଥିବା ଟାଟା ଏସ୍‌ସିଇର ଚାବି ଭାଙ୍ଗି ଚୋରି କରିଥିଲେ। ସେହି ଟାଟା ଏସ୍‌ସିଇରେ ଏଟିଏମ୍‌କୁ ଲଦି ପ୍ରାୟ ୩ କିମି ଦୂର ଲିଙ୍ଗିପୁର ନଦୀ ପଠାକୁ ନେଇଯାଇଥିଲେ। ସେଠାରେ ଶାବଳରେ ଏଟିଏମ୍‌କୁ ଭାଙ୍ଗି ୨୦ରୁ ୨୫ ଲକ୍ଷ ଟଙ୍କା ଦୁର୍ବୃତ୍ତମାନେ ଲୁଟି ନେଇଯାଇଥିଲେ | ପରେ ଏନେଇ ସକାଳେ ପୋଲିସ ଖବର ପାଇବା ପରେ ତଦନ୍ତ ଆରମ୍ଭ କରିଛି |

Related Posts