୫ ଦିନିଆ ରିମାଣ୍ଡରେ ରସିକିଆ ନକଲି ଡାକ୍ତରଙ୍କ ଦ୍ୱିତୀୟ ପତ୍ନୀ କମଳା

ଭୁବନେଶ୍ୱର: ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଗୋଟିଏ ପରେ ଗୋଟିଏ ମିଛ ଓ ଅପରାଧ ଉପରୁ ପରଦା ଉଠଉଥୁବା ବେଳେ, ପୋଲିସ ହାତରେ ଲାଗିଛି ରମେଶ ସ୍ୱାଇଁ ଙ୍କ ଅପରାଧ ପଛରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଟଙ୍କା ଦ୍ଵିତୀୟ ପତ୍ନୀ | କମିଶନରେଟ୍ ପୁଲିସ ରସିକିଆ ନକଲି ଡାକ୍ତରଙ୍କ ଦ୍ୱିତୀୟ ପତ୍ନୀ କମଳା ସ୍ୱାଇଁଙ୍କୁ ୫ ଦିନିଆ ରିମାଣ୍ଡରେ ନେବ। ଏନେଇ ଭୁବନେଶ୍ୱର SDJM ଅନୁମତି ଦେଇଛନ୍ତି।

କମଳା ସ୍ୱାଇଁଙ୍କୁ ୭ ଦିନିଆ ରିମାଣ୍ଡରେ ନେବା ପାଇଁ ଆବେଦନ ହୋଇଥିଲା। ତେବେ କୋର୍ଟ କେବଳ ୫ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି। ଅନ୍ୟପଟେ ରମେଶକୁ ପୁଣି ରିମାଣ୍ଡରେ ନେବାକୁ ଅନୁମତି ଦେଇ ନାହାନ୍ତି କୋର୍ଟ। ରମେଶଙ୍କ ଆକାଉଣ୍ଟରୁ କମଳାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହୋଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ସୋମବାର ନକଲି ଡାକ୍ତରଙ୍କ ଦ୍ୱିତୀୟ ପତ୍ନୀ କମଳା ସ୍ୱାଇଁଙ୍କୁ ଝାଡ଼ଖଣ୍ଡରୁ ଗିରଫ କରିଥିଲା କମିଶନରେଟ୍ ପୁଲିସ ଟିମ୍। ରମେଶଙ୍କ କାରନାମା ପ୍ରଘଟ ପରଠୁ ଗୁଜରାଟର ଜାମନଗରରେ କାର୍ଯ୍ୟରତ ଥିବା କମଳା ଫେରାର ଥିଲେ । ରାଜ୍ୟରେ ତଥା ରାଜ୍ୟ ବାହାରେ ତାଙ୍କୁ ଖୋଜୁଥିବା ପୁଲିସ୍‌ ଶେଷରେ ତାଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା। କମଳା ସ୍ୱାଇଁ ରମେଶଙ୍କ ଅର୍ଥ କାରବାର ବୁଝୁଥିଲେ।

୧୯ ମହିଳାଙ୍କ ସ୍ୱାମୀ ରମେଶ ୧୯୮୨ ମସିହାରେ ପ୍ରଥମ ବିବାହ କରିଥିଲେ। ପ୍ରଥମ ପତ୍ନୀଙ୍କଠାରୁ ତାଙ୍କର ୩ ପିଲା ଅଛନ୍ତି। ସେମାନେ ସମସ୍ତେ ଡାକ୍ତର। ୨୦୦୨ ମସିହାରେ ସେ କମଳା ସ୍ୱାଇଁଙ୍କୁ ଦ୍ୱିତୀୟ ବିବାହ କରିଥିବା ବେଳେ ତାଙ୍କର ଦୁଇ ପିଲା ଅଛନ୍ତି।

କମଳାଙ୍କ ପରେ ସେ ଆଉ ୧୭ ମହିଳାଙ୍କୁ ବିବାହ କରିଥିଲେ। ରମେଶ ନିଜ ଦ୍ୱିତୀୟ ପତ୍ନୀ କମଳାଙ୍କ ଜାଣତରେ ଅନ୍ୟ ମହିଳାଙ୍କୁ ପ୍ରେମ ଜାଲରେ ଫସାଇ ବିବାହ କରୁଥିଲେ। ଏଥିରେ ରମେଶଙ୍କୁ ଭରପୁର ସାହାଯ୍ୟ, ସହଯୋଗ ଯୋଗାଇ ଆସୁଥିଲେ କମଳା। କେବଳ କମଳା ନୁହନ୍ତି, ରମେଶଙ୍କ ଏହି ଅପରାଧରେ ତାଙ୍କ ଭଉଣୀ ଓ ଡ୍ରାଇଭର ମଧ୍ୟ ତାଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କରୁଥିଲେ। ଏଥିସହ ରମେଶ ଲୁଟୁଥିବା ସୁନାଗହଣା, ଟଙ୍କାରେ ସେମାନେ ବି ଭାଗ ବସାଉଥିଲେ। ପୋଲିସ ଏହି ଘଟଣା ରେ ସମ୍ପୃକ୍ତ ଥିବା ସମସ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରିଛି | ଏବଂ ତାଙ୍କ ଠାରୁ ସବୁ ତଥ୍ୟ ହାସଲ କରିଛି |

Related Posts