(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଆଜି କଟକ ବଡ଼ ଡାକ୍ତରଖାନାର ସର୍ଜରୀ ବିଭାଗ ଆଉଟଡୋରରେ ଛାତରୁ କଂକ୍ରିଟ୍ ଖଣ୍ଡ ଖସି ପଡ଼ିଥିବା ସୂଚନା ମିଳିଛି । କଂକ୍ରିଟ୍ ଖଣ୍ଡ ଖସିବା ଯୋଗୁ ଛାତରେ ଲାଗିଥିବା ସିଲିଂ ମଧ୍ୟ ଖସିଯାଇଥିଲା। ମିଳିଥିବା ସୂଚନା ମୁତାବକ ସେହି ସମୟରେ ରୋଗୀମାନେ ଟିକେଟ୍ କାଟିବା ପାଇଁ କାଉଣ୍ଟରକୁ ଆସିଥିଲେ। ଆଶ୍ବସ୍ତିର ବିଷୟ ହେଉଛି ଯେ ଏଥିରେ କାହାରି କିଛି କ୍ଷତି ହୋଇନାହିଁ। ତେବେ କଂକ୍ରିଟ୍ ଖସିବା ଯୋଗୁଁ ଡାକ୍ତରଖାନାର କଂପ୍ୟୁଟର ଓ ଅନ୍ୟ କିଛି ଆସବାବପତ୍ର ନଷ୍ଟ ହୋଇଥିବା ଜଣାପଡ଼ିଛି । କଂକ୍ରିଟ୍ ଓ ସିଲିଂ ପଡ଼ିବା ପରେ କିଛି ସମୟ ପାଇଁ ଟିକେଟ୍ କାଉଣ୍ଟର ବନ୍ଦ ବନ୍ଦ ରହିଥିଲା। ଅନ୍ୟପକ୍ଷରେ ଲଗାଣ ବର୍ଷା ଯୋଗୁଁ ଆଜି କଟକର ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ୍ରେ ପାଣି ପଶିଯାଇଥିଲା।
ଗତ ୨୪ ଘଣ୍ଟାରେ କଟକରେ ପ୍ରାୟ ୧୫୦ ମିମି ବର୍ଷା ରେକର୍ଡ କରାଯାଇଛି। ଫଳରେ ସହରର ବିଭିନ୍ନ ସ୍ଥାନରେ ପାଣି ଜମି ଯାଇଛି। ଜଳ ନିଷ୍କାସନ ପାଇଁ କଟକ ମହାନଗର ନିଗମ ପକ୍ଷରୁ ୨୦୦ଟି ପମ୍ପକୁ ନିୟୋଜିତ କରାଯାଇଛି। ସ୍ଥିତି ନିୟନ୍ତ୍ରଣ କରିବାକୁ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ଖୋଲାଯାଇଛି। ତଳିଆ ଅଞ୍ଚଳରେ ଜଳବନ୍ଦୀ ସ୍ଥିତିରେ ଥିବା ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିବା ପାଇଁ ବ୍ୟବସ୍ଥା କରାଯାଇଛି ବୋଲି ସିଏମ୍ସି କମିଶନର ଅନନ୍ୟା ଦାସ କହିଛନ୍ତି।
ପ୍ରବଳ ବର୍ଷା ଯୋଗୁଁ କଟକର ଅନେକ ସ୍ଥାନରେ ଆଜି ପାଣି ଜମି ଯାଇଥିଲା। ବାଦାମବାଡି ସମେତ ପଟ୍ଟାପୋଲ, ସୂତାହାଟ, ପେଟିନ୍ ସାହିରେ ପାଣି ଜମି ଯାଇଥିଲା । ସେପଟେ ତଳି ଅଞ୍ଚଳରୁ ବର୍ଷା ଜଳ ନିଷ୍କାସନ ନେଇ ସିଏମସି ପକ୍ଷରୁ ପ୍ରସ୍ତୁତି କରାଯାଇଛି ।
