ବରିଷ୍ଠ କଂଗ୍ରେସ ନେତା ଓସ୍କାର ଫର୍ଣ୍ଣାଣ୍ଡେଜଙ୍କ ପରଲୋକ

(ସତ୍ୟପାଠ  ବ୍ୟୁରୋ) ଭୁବନେଶ୍ୱର : ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଓସ୍କାର ଫର୍ଣ୍ଣାଣ୍ଡେଜଙ୍କ ଦେହାନ୍ତ। ଦୀର୍ଘଦିନ ଧରି ଅସୁସ୍ଥତା ଯୋଗୁଁ ମେଙ୍ଗାଲୁରୁ ସ୍ଥିତି ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସେଠାରେ ଆଜି ସେ ପ୍ରାଣ ହରାଇଛନ୍ତି।  ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା। ତାଙ୍କ ମୃତ୍ୟୁକୁ ନେଇ କଂଗ୍ରେସ ନେତା ଡି.କେ ଶିବକୁମାରଙ୍କ ସମେତ ବହୁ ବଡ ନେତା ଟୁଇଟ୍ କରି ଶୋକ ପ୍ରକାଶ କରିଛନ୍ତି। ସୂଚନା ମୁତାବକ ଗଲା ଜୁଲାଇ ଶେଷ ଭାଗରେ ସେ ହଠାତ୍‌ ପଡ଼ି ଯିବାକୁ ତାଙ୍କ ମୁଣ୍ଡରେ ବ୍ଲଡ କ୍ଲଟ ହୋଇଥିଲା। ତେଣୁ ସେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। 

ଓସ୍କାର ଫର୍ଣ୍ଣାଣ୍ଡିସଙ୍କ ମୃତ୍ୟୁକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି।  ପ୍ରଧାନମନ୍ତ୍ରୀ ଟ୍ବିଟ୍ କରି କହିଛନ୍ତି ଯେ, ଓସ୍କାର ଫର୍ଣ୍ଣାଣ୍ଡିସ୍ ଜିଙ୍କ ଦେହାନ୍ତରେ ସେ ଦୁଃଖିତ। ଏହି ଦୁଃଖ ସମୟରେ ତାଙ୍କ ପରିବାର ଏବଂ ବନ୍ଧୁମାନଙ୍କ ପ୍ରତି ପିଏମ୍ ଗଭୀର ସମବେଦନା ଜ୍ଞାପନ କରିଛନ୍ତି । 

ସେ ୧୯୭୫-୭୬ରେ ଉଡୁପିର କାଉନସିଲର ଭାବେ ନିଜର ରାଜନୀତିକ କ୍ୟାରିୟର ଆରମ୍ଭ କରିଥିଲେ। ପ୍ରଥମ ଥର ପାଇଁ ୧୯୮୦ ମସିହାରେ ସେ ଉଡୁପିରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଲଗାତାର ୫ଥର ପର୍ଯ୍ୟନ୍ତ ସେ ଏହି ଲୋକସଭା ଆସନରୁ ନିର୍ବାଚିତ ହୋଇ ଆସୁଥିଲେ। ପ୍ରଥମେ ୧୯୮୦, ଏହାପରେ ୧୯୮୪, ୧୯୮୯, ୧୯୯୧ ଓ ୧୯୯୬ରେ ସେ ଲୋକସଭାକୁ ଯାଇଥିଲେ।

ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ସଂସଦୀୟ ସଚିବ ଭାବେ ମଧ୍ୟ ସେ ଦାୟିତ୍ୱ ତୁଲାଇଥିଲେ। ୧୯୯୯ରେ ସେ ଲୋକସଭା ନିର୍ବାଚନରେ ପରାଜିତ ହେବା ପରେ ତାଙ୍କୁ ରାଜ୍ୟସଭାକୁ ପଠାଇଥିଲା କଂଗ୍ରେସ। ୨୦୦୪ରେ ମନମୋହନ ସିଂହଙ୍କ ସରକାର ସମୟରେ ସେ ଏକାଧିକ ବିଭାଗର ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ୨୦୧୩ରେ ସେ ସଡ଼କ ଓ ପରିବହନ ମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ। 

Related Posts