କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ; ଶଶି ଥରୁରଙ୍କ ପରେ ଦ୍ଵିତୀୟ ବ୍ୟକ୍ତି ଭାବେ ପ୍ରାର୍ଥୀପତ୍ର ସଂଗ୍ରହ କଲେ ପବନ କୁମାର ବଂସଲ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଅଧ୍ୟକ୍ଷ ନିର୍ବାଚନକୁ ନେଇ କଂଗ୍ରେସ ଦଳ ଏବେ ଚର୍ଚ୍ଚାରେ ରହିଛି। ନିର୍ବାଚନ ଲାଗି ବିଜ୍ଞପ୍ତି ଜାରି ହେବାପରେ ଏବେ ଆଶାୟୀ ପ୍ରାର୍ଥୀଙ୍କ ଦ୍ଵାରା ପ୍ରାର୍ଥୀପତ୍ର ସଂଗ୍ରହ କରାଯାଉଛି। ପ୍ରଥମ ଆଶାୟୀ ଭାବେ ଦଳର ବରିଷ୍ଠ ନେତା ତଥା ସାଂସଦ ଶଶି ଥରୁର ତାଙ୍କ ପ୍ରତିନିଧିଙ୍କ ଜରିଆରେ ପ୍ରାର୍ଥୀପତ୍ର ସଂଗ୍ରହ କରିସାରିଥିବା ବେଳେ ଏବେ ନିର୍ବାଚନ ଲାଗି ଦ୍ଵିତୀୟ ବ୍ୟକ୍ତି ଭାବେ ପ୍ରାର୍ଥୀପତ୍ର ସଂଗ୍ରହ କରିଛନ୍ତି ପବନ କୁମାର ବଂସଲ। କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣ ମୁଖ୍ୟ ମଧୁସୂଦନ ମିସ୍ତ୍ରୀ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି।

ବଂସଲ ଏବେ ପାର୍ଟିର କୋଷାଧ୍ୟକ୍ଷ ଅଛନ୍ତି ଓ ସେ ହୁଏତ କାହାକୁ ସମର୍ଥନ କରିପାରନ୍ତି ବୋଲି ମିସ୍ତ୍ରୀ କହିଛନ୍ତି। ତେବେ ଅଶୋକ ଗେହଲୋଟଙ୍କୁ ନେଇ ଏବେବି ଦଳରେ ସଂଶୟ ଜାରି ରହିଛି। ଥରୁରଙ୍କୁ ମିଶାଇ ଏପର୍ଯ୍ୟନ୍ତ ମାତ୍ର ୨ଟି ପ୍ରାର୍ଥୀପତ୍ର ନିଆଯାଇଛି। ମିସ୍ତ୍ରୀଙ୍କ ସୂଚନା ଅନୁସାରେ ଶଶି ଥରୁର ସେପ୍ଟେମ୍ବର ୩୦ ତାରିଖ ଦିନ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିବେ। ତେବେ ଗେହଲୋଟଙ୍କ ପ୍ରାର୍ଥୀପତ୍ର ସମ୍ପର୍କରେ ମିସ୍ତ୍ରୀଙ୍କୁ ପଚରା ଯିବାରେ ସେ ପ୍ରାର୍ଥୀପତ୍ର ନେବେ କି ନା ସେ ନେଇ କୌଣସି ସ୍ପଷ୍ଟ ସୂଚନା ନଥିବା କହିଛନ୍ତି। ଅନ୍ୟପକ୍ଷରେ ମିସ୍ତ୍ରୀ ମଙ୍ଗଳବାର ସୋନିଆ ଗାନ୍ଧିଙ୍କୁ ନିର୍ବାଚକ ମଣ୍ଡଳୀ ସଦସ୍ୟ ଭାବେ ପରିଚୟ ପତ୍ର ପ୍ରଦାନ କରିଛନ୍ତି।କଂଗ୍ରେସ ସଭାପତି ନିର୍ବାଚନକୁ ନେଇ ପ୍ରଥମେ ଅଶୋକ ଗେହଲୋଟ ସବୁଠୁ ମଜଭୁତ ଦାବିଦାର ଥିଲେ। ତେବେ ବିବାଦ ପରେ ଏବେ ପରିସ୍ଥିତି ବଦଳି ଯାଇଛି। ରାଜସ୍ଥାନ କଂଗ୍ରେସରେ ଉପୁଜିଥିବା ସଂକଟ ନେଇ ଦୁଇ ପର୍ଯ୍ୟବେକ୍ଷକ ମଲ୍ଲିକାର୍ଜୁନ ଖଡଗେ ଓ ଅଜୟ ମାକନ କାର୍ଯ୍ୟକାରୀ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ପରିସ୍ଥିତି ସମ୍ପର୍କରେ ଅବଗତ କରିଥିଲେ। ଏ ବାବଦେ ଅଧ୍ୟକ୍ଷା ଲିଖିତ ରିପୋର୍ଟ ତଲବ କରିଥିବା ବେଳେ ଅନୁଶାସନହୀନତା ଲାଗି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ବିଶ୍ୱସ୍ଥ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆଶଙ୍କା କରାଯାଉଛି।

ସେପଟେ ରାଜସ୍ଥାନ ଘଟଣାକ୍ରମକୁ ନେଇ ଗେହଲଟ କଂଗ୍ରେସ ସଭାପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀତା କରିବା ନେଇ ପ୍ରଶ୍ନ ଚିହ୍ନ ଲାଗିଯାଇଛି। ଏବେ କମଲନାଥ, ଦିଗବିଜୟ ସିଂହ, ମୁକୁଲ ୱାସନିକ, ମଲ୍ଲିକାର୍ଜ୍ଜୁନ ଖଡଗେ, କୁମାରୀ ଶୈଲଜା ଓ ଅନ୍ୟଙ୍କ ନାମକୁ ନେଇ ଚର୍ଚ୍ଚା ହେଉଛି। ତେବେ କଂଗ୍ରେସ ସଭାପତି ପଦ ନିମନ୍ତେ କମଲନାଥ ଆଗ୍ରହୀ ନଥିବା କହିଛନ୍ତି।

Related Posts