କଂଗ୍ରେସ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେବାପରେ ଖଡଗେଙ୍କ ଘରେ ପହଞ୍ଚି ଅଭିନନ୍ଦନ ଜଣାଇଲେ ସୋନିଆ ଓ ପ୍ରିୟଙ୍କା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଂଗ୍ରେସର ନୂଆ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ମଲିକାର୍ଜୁନ ଖଡଗେ। ଦଳର ଅଧ୍ୟକ୍ଷ ଭାବେ ତାଙ୍କ ନାମ ଘୋଷଣା ହେବାର କିଛି ସମୟ ପରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଝିଅ ପ୍ରିୟଙ୍କା ଗାନ୍ଧୀଙ୍କ ସହ ଖଡଗେଙ୍କ ଘରେ ପହଞ୍ଚି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଏହାପରେ ପ୍ରିୟଙ୍କା ଗାନ୍ଧୀ ଟୁଇଟ୍‌ କରି କହିଛନ୍ତି ଯେ, ଭାରତୀୟ ଜାତୀୟ କଂଗ୍ରେସର ଅଧ୍ୟକ୍ଷ ହୋଇଥିବାରୁ ମଲ୍ଲିକାର୍ଜୁନ ଖଡଗେଙ୍କୁ ଅଭିନନ୍ଦନ। ମୁଁ ନିଶ୍ଚିତ ଯେ ଆପଣଙ୍କର ଦୀର୍ଘ ରାଜନୈତିକ ଜୀବନର ଅଭିଜ୍ଞତା ଭାରତୀୟ ଜାତୀୟ କଂଗ୍ରେସର ଆଦର୍ଶକୁ ଦୃଢ କରିବ। ଆପଣଙ୍କ ନେତୃତ୍ୱରେ କଂଗ୍ରେସ ସମ୍ବିଧାନ ଏବଂ ଗଣତନ୍ତ୍ରର ସୁରକ୍ଷା ପାଇଁ ସଂଗ୍ରାମ ଜାରି ରଖିବ।

ସେହିପରି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି ଯେ, ମଲ୍ଲିକାର୍ଜୁନ ଖଡଗେଙ୍କୁ ଅଧ୍ୟକ୍ଷ ନିର୍ବାଚିତ ହୋଇଥିବାରୁ ଅଭିନନ୍ଦନ ଜଣାଉଛି। କଂଗ୍ରେସ ଅଧ୍ୟକ୍ଷ ଭାରତର ଗଣତାନ୍ତ୍ରିକ ଦୃଷ୍ଟିକୋଣର ପ୍ରତିନିଧିତ୍ୱ କରୁଛନ୍ତି। ତାଙ୍କର ବିପୁଳ ଅଭିଜ୍ଞତା ଏବଂ ଦଳ ପ୍ରତି ଆଦର୍ଶଗତ ପ୍ରତିବଦ୍ଧତା ଏହି ଐତିହାସିକ ଦାୟିତ୍ୱକୁ ଭଲ ଭାବରେ ଆଗେଇ ନେବ।

ସୂଚନାଯୋଗ୍ୟ ଯେ, ନବ ନିର୍ବାଚିତ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏହି ନିର୍ବାଚନରେ ମୋଟ ୭୮୭୯ ଭୋଟ ପାଇଛନ୍ତି। ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଶଶି ଥରୁର ଏହି ନିର୍ବାଚନରେ ୧୦୭୨ ଖଣ୍ଡ ଭୋଟ ପାଇଛନ୍ତି।

Related Posts