ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ମଲ୍ଲିକାର୍ଜୁନ ଖଡଗେ ଓ ଶଶି ଥରୁରଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହେବ । କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ କେବଳ ଏହି ୨ ପ୍ରାର୍ଥୀ ରହିବେ ବୋଲି ଜଣାପଡିଛି । ମୋଟ ୩ଜଣ ଏହି ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିବା ବେଳେ ଆଜି ନାମାଙ୍କନ ଯାଞ୍ଚ ପରେ କଂଗ୍ରେସ ନେତା କେଏନ ତ୍ରିପାଠିଙ୍କ ପ୍ରାର୍ଥିପତ୍ର ନାକଚ ହୋଇଯାଇଛି । ଏନେଇ କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣର ଅଧ୍ୟକ୍ଷ ମଧୁସୂଦନ ମିସ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ, କଂଗ୍ରେସର ୨ ଜଣ ପ୍ରାର୍ଥୀ ଅଧ୍ୟକ୍ଷ ପଦ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବେ । ଅକ୍ଟୋବର ୮ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥିପତ ପ୍ରତ୍ୟାହାର କରାଯାଇ ପାରିବ । ଆଜିର ସ୍ଥିତିରେ ନିର୍ବାଚନ ପାଇଁ ୨ ଜଣ ପ୍ରାର୍ଥୀ ସାମ୍ନାସାମ୍ନି ଥିବା ବେଳେ ସଂପୂର୍ଣ୍ଣ ଚିତ୍ର ୮ ତାରିଖ ପରେ ସ୍ପଷ୍ଟ ହେବ । କେହି ପ୍ରାର୍ଥିପତ୍ର ପ୍ରତ୍ୟାହାର ନ କଲେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ମିସ୍ତ୍ରୀ ସୂଚନା ଦେଇଛନ୍ତି।

ମଧୁସୂଦନ ମିସ୍ତ୍ରୀ ଆହୁରି କହିଛନ୍ତି ଯେ, ଶୁକ୍ରବାର ସୁଦ୍ଧା ୨୦ଟି ନାମାଙ୍କନ ଫର୍ମ ଜମା ହୋଇଛି । ଏଥିମଧ୍ୟରୁ ସ୍କୁଟିନି କମିଟି ହସ୍ତାକ୍ଷର ସମସ୍ୟାକୁ ନେଇ ୪ଟି ଫର୍ମକୁ ଖାରଜ କରି ଦେଇଛନ୍ତି । ଏହାରି ଭିତରେ କେଏନ ତ୍ରିପାଠୀଙ୍କ ପ୍ରାର୍ଥିପତ୍ରକୁ ବି ଖାରଜ କରି ଦିଆଯାଇଛି । କାରଣ ଏହା ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରି ନ ଥିଲା । ଏଥିରେ ହସ୍ତାକ୍ଷର ସମ୍ବନ୍ଧିୟ ସମସ୍ୟା ଥିଲା । ଏବେ ଏହି ଅଧ୍ୟକ୍ଷ ପଦ ରେସରେ ଦୁଇ ଜଣ ଦାବିବାର ମଲ୍ଲିକାର୍ଜୁନ ଖଡଗେ ଓ ଶଶି ଥରୁର ରହିଛନ୍ତି ବୋଲି ମିସ୍ତ୍ରୀ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ୧୭ ଅକ୍ଟୋବରରେ ନିର୍ବାଚନ ହେବାକୁ ଥିବା ବେଳେ ୧୯ ଅକ୍ଟୋବରରେ ଫଳାଫଳ ପ୍ରକାଶ ପାଇବ ।