କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ; ଓଡ଼ିଶା କଂଗ୍ରେସର ନେତା ମାନଙ୍କୁ ଭେଟି ନିଜ ସପକ୍ଷରେ ଭୋଟ ମାଗିଲେ ମଲ୍ଲିକାର୍ଜୁନ ଖଡଗେ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଓଡ଼ିଶା ଗସ୍ତରେ ଆସିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ଦଳର ଅଧ୍ୟକ୍ଷ ପ୍ରାର୍ଥୀ ମଲ୍ଲିକାର୍ଜୁନ ଖଡଗେ। କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ସେ ପ୍ରତିଦ୍ୱନ୍ଦ୍ୱିତା କରୁଥିବାରୁ ସେ ପ୍ରଚାର ପାଇଁ ଶୁକ୍ରବାର ଓଡ଼ିଶା ଆସିଛନ୍ତି। ଭୁବନେଶ୍ୱର ଆସି ସେ ରାଜ୍ୟ ପିସିସିର ସଦସ୍ୟଙ୍କୁ ଭେଟି ତାଙ୍କୁ ଭୋଟ ଦେବାକୁ ଅନୁରୋଧ ମଧ୍ୟ କରିଛନ୍ତି।ଭୁବନେଶ୍ୱରରେ ଆୟୋଜିତ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ମଲ୍ଲିକାର୍ଜୁନ ଖଡଗେ ।

ଏହି ଅବସରରେ ସେ କହିଛନ୍ତି, ଦଳର ନେତାଙ୍କ ସହ ଭେଟି ସମର୍ଥନ ମାଗିବାକୁ ଓଡ଼ିଶା ଆସିଛି। ପିସିସିର କାର୍ଯ୍ୟକର୍ତ୍ତା ଓ ବରିଷ୍ଠ ନେତାମାନେ ମୋତେ ପ୍ରସ୍ତାବ ଦେଇଥିଲେ ନିର୍ବାଚନ ଲଢ଼ିବା ପାଇଁ। ଗାନ୍ଧି ପରିବାରରୁ କେହି ଲଢ଼ିବେ ନାହିଁ ବୋଲି ବାର୍ତ୍ତା ଆସିବା ପରେ ମୁଁ ରାଜ୍ୟସଭା ବିରୋଧୀ ଦଳ ନେତା ପଦରୁ ଇସ୍ତଫା ଦେଇ ଦଳୀୟ ନିର୍ବାଚନ ଲଢ଼ୁଛି। କଂଗ୍ରେସର ଇସ୍ତାହାର ଯାହା ମୋର ଇସ୍ତାହାର ମଧ୍ୟ ସମାନ, କିଛି ନୂଆ ନୁହେଁ। ଉଦୟପୁର ଚିନ୍ତନ ଶିବିରରେ ବାହାରିଥିବା ନିଷ୍କର୍ଷ, ଦଳ ପାଇଁ ମୋର ଏଜେଣ୍ଡା ବୋଲି କହିଛନ୍ତି ଖଡଗେ।

ମଲ୍ଲିକାଜୁନ ଖଡଗେଙ୍କୁ ଓଡ଼ିଶାରେ ସବୁ ଭୋଟ ଯିବ, ଉଦୟପୁର ଚିନ୍ତନ ଶିବିରରେ ଯାହା ଘୋଷଣା ହୋଇଥିଲା ତାହାକୁ ସେ କାର୍ଯ୍ୟକାରୀ କରିବେ ବୋଲି କହିଛନ୍ତି। ସେ ଜଣେ ପୁରୁଖା ନେତା। କଂଗ୍ରେସ ବିଚାରଧାରା ସହିତ ତାଙ୍କର ବିଚାର ଧାରା ମିଶୁଛି। ତୃଣମୂଳ ସ୍ତରରୁ ସେ ଆଜି ଏତେ ବାଟ ଆସିଛନ୍ତି ବୋଲି କହିଛନ୍ତି ପୂର୍ବତନ ପିସିସି ସଭାପତି ଜୟ ଦେଵ ଜେନା।

ସେପଟେ ରାଜ୍ୟ କଂଗ୍ରେସର ବରିଷ୍ଠ ନେତା ଗଣେଶ୍ୱର ବେହେରା କହିଛନ୍ତି ଯେ, ଖଡଗେ ଆସିଲେ ଭୋଟ ମାଗିଲେ। ଆମେ କାହାକୁ ଭୋଟ ଦେବୁ ସେଇଟା କାହାରିକୁ କହିବୁ ନାହିଁ। କିନ୍ତୁ ଖଡଗେ ଜଣେ ଅଭିଜ୍ଞ ନେତା। ସେ ନିର୍ବାଚନ ଲଢ଼ୁଛନ୍ତି, ପିସିସି କାର୍ଯ୍ୟକର୍ତ୍ତା ମାନଙ୍କୁ ସେ ତାଙ୍କୁ ଭୋଟ ଦେବା ଲାଗି ଅନୁରୋଧ କରିଛନ୍ତି ।

Related Posts