ନୂଆଦିଲ୍ଲୀ: ୫୨ ବର୍ଷ ବୟସରେ ପାଦ ଥାପିଲେ କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ । ମାତ୍ର ସେ ନିଜ ଜନ୍ମ ଦିନ ପାଳନ ନକରିବା ନେଇ ନିଷ୍ପତ୍ତି ନେଇଛନ୍ତି । ଗୋଟାଏ ବିଶେଷ କାରଣ ଦର୍ଶାଇ ଜନ୍ମଦିନ ପାଳନ ନ କରିବା ଲାଗି ସେ ଦଳର ନେତା ଓ କର୍ମୀମାନଙ୍କୁ ନିବେଦନ କରିଛନ୍ତି ରାହୁଲ୍ ଗାନ୍ଧୀ ।
ଦେଶର ତରୁଣମାନେ କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ ଯୋଜନା’ରେ ହତାଶ ହୋଇ ବାଟଘାଟରେ ପ୍ରତିବାଦ ପ୍ରଦର୍ଶନ କରୁଥିବା ଘଟଣା ତାଙ୍କ ଜନ୍ମଦିନ ପାଳନ ନ କରିବାର କାରଣ ବୋଲି ସେ କହିଛନ୍ତି। ବରଂ ତରୁଣମାନଙ୍କୁ ସମର୍ଥନ କରିବା ଲାଗି ସେ ଦଳୀୟ ନେତା ଓ କର୍ମୀମାନଙ୍କୁ ପରାମର୍ଶ ଦେଇଛନ୍ତି।
‘ଅଲ୍ ଇଣ୍ଡିଆ କଂଗ୍ରେସ କମିଟି’ (ଏଆଇସିସି) ଟୁଇଟର୍ରେ ପୋଷ୍ଟ୍ କରିଥିବା ବାର୍ତ୍ତାରେ ସାଧାରଣ ସମ୍ପାଦକ (କମ୍ୟୁନିକେସନ୍) ଜୟରାମ ରମେଶ କହିଛନ୍ତି, ସେନାରେ ଭର୍ତ୍ତି ନିମନ୍ତେ ‘ଅଗ୍ନିପଥ ଯୋଜନା’ ବିରୁଦ୍ଧରେ ଦେଶର ବହୁ ପ୍ରାନ୍ତରେ ଚାଲିଥିବା ପ୍ରତିବାଦକୁ ଦର୍ଶାଇ ଗାନ୍ଧୀ କହିଛନ୍ତି ଦେଶର ପରିସ୍ଥିତି ଚିନ୍ତାଜନକ। ସେ କହିଛନ୍ତି, ତରୁଣମାନେ ଦୁଃଶ୍ଚିନ୍ତାରେ ପଡ଼ିଛନ୍ତି। ଏ ସମୟରେ ଆମେ ଯାଇ ତାଙ୍କ ପାଖରେ ଓ ତାଙ୍କ ପରିବାରବର୍ଗଙ୍କ ପାଖରେ ପହଞ୍ଚିବା କଥା।
ମୋ ଜନ୍ମଦିନ ଅବସରରେ କୌଣସି ପ୍ରକାର ଉତ୍ସବ ଅନୁଷ୍ଠାନ ନ କରିବା ପାଇଁ ମୁଁ ସମଗ୍ର ଦେଶରେ ଥିବା କଂଗ୍ରେସ କର୍ମୀ ଓ ମୋର ଶୁଭାକାଙ୍କ୍ଷୀମାନଙ୍କୁ ନିବେଦନ କରୁଛି।
ଦେଶର ସାମ୍ପ୍ରତିକ ପରିସ୍ଥିତି ଉଦ୍ବେଗଜନକ। କୋଟି କୋଟି ତରୁଣ ହତୋତ୍ସାହ ହୋଇପଡ଼ିଛନ୍ତି। ଆମେ ସେ ତରୁଣ ଓ ସେମାନଙ୍କ ପରିବାରବର୍ଗଙ୍କ ଦୁଃଖରେ ସହଭାଗୀ ହେବା ଉଚିତ ।
