ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଓଆରଏଚଡିସି ଋଣ ଦୁର୍ନୀତି ମାମଲାରେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ହାଇକୋର୍ଟରୁ ଅଶ୍ଵସ୍ଥି ମିଳିଛି । ମାନ୍ୟବର ହାଇକୋର୍ଟ ଆଜି ଏହି ମାମଲାରେ ରାୟ ଦେଇ ସ୍ଵତନ୍ତ୍ର ଭିଜିଲାନ୍ସ କୋର୍ଟ ମୋକିମଙ୍କୁ କରିଥିବା ଦଣ୍ଡାଦେଶ ଉପରେ ରହିତାଦେଶ ଲଗାଇଛନ୍ତି। ଏହି ଦଣ୍ଡାଦେଶରେ ରହିତାଦେଶ ଲାଗିବା ପରେ ମୋକିମଙ୍କ ବିଧାୟକ ପଦ ଉପରେ ଥିବା ସଙ୍କଟ ହଟିଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଫେବୃୟାରୀ ୨୨ ତାରିଖରେ ହେବ ବୋଲି ଜଣା ପଡିଛି।

ସୂଚନାଯୋଗ୍ୟ ଯେ, ଓଆରଏଚଡିସି ଋଣ ଦୁର୍ନୀତି ମାମଲାରେ ମୋକିମଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ଭିଜିଲାନ୍ସ କୋର୍ଟ । ତାଙ୍କୁ ୩ ବର୍ଷର କାରାଦଣ୍ଡାଦେଶ ସହ ଜରିମାନା ନିର୍ଦେଶ ଦେଇଥିଲେ ଭିଜିଲାନ୍ସ କୋର୍ଟ । ଏହି ଦଣ୍ଡାଦେଶ ପରେ ମୋକିମଙ୍କ ବିଧାୟକ ପଦ ଉପରେ ସଙ୍କଟ ଆସିଥିଲା। ତାଙ୍କୁ ୨ ବର୍ଷରୁ ଅଧିକ ଜେଲ ଦଣ୍ଡ ହୋଇଥିବାରୁ ସୁପ୍ରିମକୋର୍ଟଙ୍କ ଅନୁସାରେ ତାଙ୍କ ବିଧାୟକ ପଦ ରଦ୍ଦ ହେବ ବୋଲି କୁହାଯାଉଥିଲା। ତେବେ ଭିଜିଲାନ୍ସ କୋର୍ଟଙ୍କ ରାୟ ବିରୋଦ୍ଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମୋକିମ । ଏହି ମାମଲାରେ ଗତ ୧୩ ତାରିଖରେ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ ହାଇକୋର୍ଟ ।

ଏହି ମାମଲାରେ ପୂର୍ବତନ ଆଇଏଏସ୍‌ ବିନୋଦ କୁମାର, ମେଟ୍ରୋ ବିଲ୍ଡରର ନିର୍ଦ୍ଦେଶକ ପିୟୂଷ ମହାନ୍ତି ଏବଂ କମ୍ପାନୀ ସେକ୍ରେଟାରୀ ସ୍ୱସ୍ତି ରଞ୍ଜନ ମହାପାତ୍ରଙ୍କୁ ମଧ୍ୟ ୩ ବର୍ଷ ଲେଖାଏଁ ଦଣ୍ଡାଦେଶ ନିର୍ଦ୍ଦେଶ ଦେଇଛନ୍ତି ସ୍ଵତନ୍ତ୍ର ଭିଜିଲାନ୍ସ କୋର୍ଟ । ଏଥିସହିତ ପ୍ରତ୍ୟେକଙ୍କୁ ୫୦ ହଜାର ଲେଖାଏଁ ଜରିମାନା କରିଛନ୍ତି ।