‘ଯଦି ଦଳ ପାଖରେ ସମ୍ବଳ ନାହିଁ, ଲୋକହସା ହେବା ପାଇଁ କଂଗ୍ରେସ ପ୍ରାର୍ଥୀ କାହିଁକି ଦିଆଯାଉଛି’; ମହମ୍ମଦ ମୋକିମ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପଦ୍ମପୁର ଉପନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟକୁ ନେଇ ଜଣେ ପରେ ଜଣେ ନେତା ମୁହଁ ଖୋଲି ସିଧାସଳଖ ଦଳର ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଛନ୍ତି। ପ୍ରଥମେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପରେ ଏବେ ପରଜୟକୁ ନେଇ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ବିସ୍ଫୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ଏହି ପରାଜୟ ନେଇ ଗୁରୁତର ସହ ଚିନ୍ତା କରିବାର ସମୟ ଆସିଛି। ଦଳର କର୍ମୀଙ୍କ ମନରେ ପ୍ରଶ୍ନ ସବୁ ଉପନିର୍ବାଚନରେ ଭୋଟ ହାର କାହିଁକି ଖସୁଛି। ସବୁବେଳେ ଦଳର ପ୍ରାର୍ଥୀଙ୍କ ପରାଜୟ ପରେ ସମ୍ବଳ ନ ଥିବାରୁ ହାରିଲୁ ବୋଲି କୁହାଯାଉଛି। ଯଦି ସମ୍ବଳ ନାହିଁ ଲୋକହସା ହେବା ପାଇଁ ପ୍ରାର୍ଥୀ କାହିଁକି ଦିଆଯାଉଛି। ଦିଲ୍ଲୀରୁ ଦାୟିତ୍ୱ ଦିଆ ଯାଇଥିବା ଲୋକ କାହିଁକି ଏଠି କଂଗ୍ରେସକୁ ଜିତାଇବା ପାଇଁ ପ୍ରୟାସ କରୁନାହାନ୍ତି। ସୋ କଲଡ ସିନିୟର ଲିଡରଙ୍କ ଚେହେରା ଦେଖି ଲୋକ ଆଉ ଭୋଟ ଦେବାକୁ ଚାଁହୁ ନାହାଁନ୍ତି। ସେମାନଙ୍କୁ ଗୋଲଡେନ ହାର୍ଟ ସହ ଅବସର ଦେବାକୁ ପଡ଼ିବ।

ସେ ଆହୁରି କହିଛନ୍ତି, ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କଠାରୁ କଂଗ୍ରେସର ଶିଖିବାର ଅଛି। ନୂଆ ଯୁବ ବର୍ଗକୁ ସୁଯୋଗ ଦେବାର ଅଛି। ଏଭଳି ଉପନିର୍ବାଚନ ଫଳାଫଳ ଦିଲ୍ଲୀ ଉପରେ ମଧ୍ୟ ସନ୍ଦେହ ସୃଷ୍ଟି କରୁଛି। ଏଭଳି ଅବସ୍ଥା ଲାଗି ରହିଲେ ୟୁପି, ପଶ୍ଚିମବଙ୍ଗ ଭଳି ରାଜ୍ୟରେ କଂଗ୍ରେସ ଲୋପ ହୋଇଯିବ। ଦଳର ସେନାପତି ବିଶ୍ୱାସଘାତ କଲେ ଦଳ ଆଗକୁ କିପରି ଯିବ? ଉପନିର୍ବାଚନ କିଛି ଲୋକଙ୍କୁ ଖୁସି କରୁଛି ପକେଟ ଗରମ କରିବାର ସୁଯୋଗ ଆଣୁଛି। ଏଭଳି ହେଲେ ଆଗକୁ କଂଗ୍ରେସ ନୋଟା ସହ ଲଢେଇ କରିବ। ଦିଲ୍ଲୀରେ କଂଗ୍ରେସ ସଭାପତିଙ୍କ ପାଖରେ ମୋ କଥା ପହଞ୍ଚୁ। ରାଜ୍ୟରେ କଂଗ୍ରେସକୁ ସୁଦୃଢ କରିବା ପାଇଁ ରୋଡ ମ୍ୟାପ ତିଆରି ହେଉ।

Related Posts