ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦେଶରେ ଦରଦାମ ବୃଦ୍ଧି ଉପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଦେଇଥିବା ଉତ୍ତର ସମ୍ପର୍କରେ କଂଗ୍ରେସ ନେତା ଅଧୀର ରଞ୍ଜନ ଭାଜପା ସରକାରଙ୍କ ନୀତିକୁ କଡ଼ା ସମାଲୋଚନା କରିଛନ୍ତି। ଏକ ଘରୋଇ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ ଅଧୀର ରଞ୍ଜନ ସରକାରଙ୍କୁ ଦୋଷାରୋପ କରି କହିଛନ୍ତି ଯେ ସରକାର ସମସ୍ତ ଭୁଲ ତଥ୍ୟ ଉପସ୍ଥାପିତ କରିଛନ୍ତିି ଓ ଏହା ସମ୍ପୂର୍ଣ୍ଣ ନିରର୍ଥକ ଉତ୍ତର ଅଟେ। ଦେଶର ଲୋକମାନଙ୍କୁ ପଚାର, ମୁଦ୍ରାସ୍ଫୀତି ପାଇଁ ସେମାନଙ୍କର ଅବସ୍ଥା କ’ଣ? ପରିସଂଖ୍ୟାନ ମାଧ୍ୟମରେ ସବୁକିଛି ଭଲ ଦେଖାଇବାକୁ ଏହା ଏକ ପ୍ରୟାସ। ଆପଣମାନେ ବଜାରକୁ ଯାଆନ୍ତୁ ସେଠାରେ ନିଆଁ ଲାଗିଛି, ଲୋକଙ୍କ ପକେଟରେ ନିଆଁ ଲାଗିଯାଇଛି। ଲୋକଙ୍କ ଆର୍ଥିକ ଅବସ୍ଥା ବିଗିଡି ଯାଇଛି। ସେ କହିଛନ୍ତି ଯେ ସରକାର ସବୁ ପ୍ରସଙ୍ଗରେ ୟୁପିଏକୁ ଢାଲ ଭାବରେ ଆଣୁଛନ୍ତି।
ଏକ ସମୟରେ ସିଲିଣ୍ଡର ଦାମ ୩୫୦ ଟଙ୍କାରୁ ୪୦୦ ଟଙ୍କା ଥିଲା। ସେହି ସମୟରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ କ’ଣ ଥିଲା ଏବଂ ଆଜି ସେସବୁର ଦାମ କ’ଣ ହୋଇଛି ତାହା ବିଚାର ଯୋଗ୍ୟ। ସେହି ସମୟରେ ମୁଦ୍ରାର ହାର କ’ଣ ଥିଲା ଏବଂ ବର୍ତ୍ତମାନ କ’ଣ ତାହା କାହାକୁ ଅଜଣା ନାହିଁ। ଏହି ଅଦରକାରୀ ତଥ୍ୟକୁ ଉପସ୍ଥାପନ କରିବା ଦେଶର ସାଧାରଣ ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ସରକାରଙ୍କ ଏକ ଷଡଯନ୍ତ୍ର।
