ଇଡିକୁ କୌଣସି ପ୍ରକାର ତଦନ୍ତରେ ସହଯୋଗ କରୁ ନାହାନ୍ତି ପାର୍ଥ ଚାଟାର୍ଜୀ

କୋଲକତା: ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିବା ପୂର୍ବତନ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଇଡି ଗିରଫ କରିଛି । ଗିରଫ କରିବା ପରେ ଇଡି ତାଙ୍କୁ ଦୁର୍ନୀତି ନେଇ ପଚରାଉଚରା ଆରମ୍ଭ କରିଛି । ମାତ୍ର ଏହି ତଦନ୍ତ ପକ୍ରିୟାରେ ଇଡିକୁ କୌଣସି ପ୍ରକାର ସହଯୋଗ କରୁ ନାହାନ୍ତି ପୂର୍ବତନ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀ । ସବୁବେଳେ ଥକାପଣର ବାହାନା ଦେଖାଇ ପ୍ରଶ୍ନକୁ ଟାଳିବାକୁ ଚେଷ୍ଟା କରୁଛନ୍ତି। ଏପରିକି ଷଡଯନ୍ତ୍ରର ଶିକାର ହୋଇ ଯାଇଥିବା ଅଭିଯୋଗ ମଧ୍ୟ କରୁଛନ୍ତି।

ଇଡି ସହ ସେ ଏପରି ଲୁଚକାଳି ଖେଳ ଖେଳୁଥିବା ନେଇ ଏହାର ଜଣେ ବରିଷ୍ଠ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି। ଏପରି ପାର୍ଥ ଚାଟାର୍ଜୀଙ୍କୁ ବିଭିନ୍ନ ପ୍ରଶ୍ନ ଗୋଡ଼ାଇ ତୋଡ଼ାଇ ପଚାରି ଇଡି ଅଧିକାରୀ ହାଲିଆ ହୋଇ ଯାଉଥିବା ବେଳେ ପାର୍ଥ କିନ୍ତୁ ପାଟି ଫିଟାଉ ନାହାନ୍ତି। ଫଳରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଏ ଯାଏ ଇଡି ତାଙ୍କ ନିକଟରୁ ହାତେଇ ପାରି ନାହିଁ। ପାର୍ଥଙ୍କର ତାଙ୍କର ଆହୁରି ଅମାପ ସମ୍ପତ୍ତି ଥିବା ବେଳେ ଏହାର ସୁରାକ ପାଇଛି ଇଡି।

ଇଡି ଅଧିକାରୀ କହିଛନ୍ତି ଯେ, ଗିରଫ ହେବା ପରଠାରୁ ସେ ଆମ ସହ ସହଯୋଗ କରି ନାହାନ୍ତି। ସେ ଅନେକ ସମୟରେ ଥକାପଣର ଅଭିଯୋଗ କରି ଆମର ପ୍ରଶ୍ନର ଉତ୍ତର ଦେଉନାହାନ୍ତି। ପାର୍ଥଙ୍କ ସହଯୋଗୀ ଅର୍ପିତାଭ୍କଙ୍କ ଘର ଉପରେ ଚଢ଼ାଉ ସମୟରେ ଉଦ୍ଧାର ହୋଇଥିବା ନଗଦ ତାଙ୍କର ନୁହେଁ ବୋଲି ସେ କହୁଛନ୍ତି। ଏପରିକି ଏହି ଅର୍ଥର ଉତ୍ସ କ’ଣ ସେ ସମ୍ପର୍କରେ କହୁ ନାହାନ୍ତି।

ଶିକ୍ଷା ନିଯୁକ୍ତି ସ୍କାମରେ ଇଡିଙ୍କ ଅଧୀନରେ ଆସିଥିବା ପାର୍ଥ ଚାଟାର୍ଜୀଙ୍କ ପଶ୍ଚିମବଙ୍ଗର ଗୋଲପାରା ଅଞ୍ଚଳରେ ଏକ ବିଳାସପୂର୍ଣ୍ଣ ଗେଷ୍ଟ ହାଉସ ଥିବା ଖୋଳତାଡ଼ରୁ ଜଣାଯାଇଛି। ଏହି ଗେଷ୍ଟ ହାଉସର ନାମ ECHHAY । ଏହା ଅର୍ପିତାଙ୍କ ନାଁରେ ଥିବା ଜଣାଯାଇଛି। ଏହାବାଦ ତାଙ୍କ ନାଁରେ ବହୁ କମ୍ପାନୀ, ବେନିକଟ ହଲ୍‌, ଗେଷ୍ଟ ହାଉସ ଥିବା ବେଳେ ସମ୍ପର୍କୀୟଙ୍କ ନାମରେ ମଧ୍ୟ ବହୁ ସମ୍ପତ୍ତି ରହିଛି। ଅର୍ପିତାଙ୍କ ଦୁଇଟି ଘରେ ଇଡି ରେଡ କରି ୫୦ କୋଟି ଟଙ୍କା ଓ ୫ କେଜିରୁ ଅଧିକ ସୁନା ମଧ୍ୟ ଜବତ କରିଛି। ଏବେ ଘଟଣାର ଅଧିକ ଖୋଳତାଡ଼ ବେଳେ ଇଡିକୁ ବିଲକୁଲ ସହଯୋଗ କରୁ ନାହାନ୍ତି ପାର୍ଥ ।

Related Posts