ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କଂଗ୍ରେସ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ବଢ଼ିଲା ଅଡ଼ୁଆ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆତଙ୍କବାଦୀ କହି ବେଶ୍ ଚର୍ଚ୍ଚାରେ ଖାର୍ଗେ । ଏହା ମଧ୍ୟରେ ବିଜେପି ତାଙ୍କ ବୟାନକୁ ନିନ୍ଦା କରିଥିବାର ଦେଖିବାକୁ ମିଳିଛି । ତେବେ କଂଗ୍ରେସ ଦଳ ଆଜି ପର୍ଯ୍ୟନ୍ତ ୧୭୫ ଥର ପ୍ରଧାନମନ୍ତ୍ରୀଙ୍କୁ ଅପମାନିତ କରିଛି। ଖାର୍ଗେ ଏହି ଆଚରଣ ପାଇଁ କ୍ଷମା ମାଗନ୍ତୁ ବୋଲି ଭାରତୀୟ ଜନତା ପାର୍ଟି କହିଛି । ସେପଟେ ଚେନ୍ନାଇରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ସମୟରେ ଖାର୍ଗେ ଏହି ବିବାଦୀୟ ବୟାନ ଦେଇଛନ୍ତି। ଯେତେବେଳେ ଏଆଇଏଡିଏମକେ ଏବଂ ଭାରତୀୟ ଜନତା ପାର୍ଟି ମଧ୍ୟରେ ମେଣ୍ଟକୁ ସମାଲୋଚନା କରିଛନ୍ତି। କିନ୍ତୁ ବିବାଦ ବଢ଼ିବା ସହିତ ସେ ତାଙ୍କ ମନ୍ତବ୍ୟ ସମ୍ପର୍କରେ ଏକ ସ୍ପଷ୍ଟୀକରଣ ଜାରି କରିଛନ୍ତି। ସେ କହିଛନ୍ତି, ଯେଉଁ AIADMK ସଦସ୍ୟମାନେ ଆନ୍ନାଦୁରାଇଙ୍କ ଚିତ୍ର ପ୍ରଦର୍ଶନ କରନ୍ତି, ସେମାନେ କିପରି ନିଜକୁ ମୋଦିଙ୍କ ସହିତ ସମାନ କରିପାରିବେ? ସେ ଜଣେ ଆତଙ୍କବାଦୀ। ତାଙ୍କ ଦଳ ସମାନତା ଏବଂ ନ୍ୟାୟରେ ବିଶ୍ୱାସ କରେ ନାହିଁ। ଏହି ଲୋକମାନେ ତାଙ୍କ ସହିତ ଜଡିତ ହେବା ସୂଚାଇ ଦିଏ ଯେ, ସେମାନେ ଗଣତନ୍ତ୍ରକୁ ଦୁର୍ବଳ କରୁଛନ୍ତି ବୋଲି କହିଥିଲେ ।
