କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦ ଛାଡ଼ି ନିର୍ବାଚନ ଲଢ଼ିବେ ଅଶୋକ ଗେହଲଟ

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନକୁ ନେଇ ସରଗରମ ରହିଛି ରାଜନୀତି । ରାହୁଲ୍ ଗାନ୍ଧୀ ନିଜ ଜିଦ୍ ରେ ଅଟଳ ଥିବାବେଳେ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଅଧ୍ୟକ୍ଷ ପଦ ପାଇଁ ହେବାକୁ ଥିବା ନିର୍ବାଚନ ଲଢ଼ିବେ । ସେଥିପାଇଁ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ସ୍ଥିର କରିଛନ୍ତି । କହିଛନ୍ତି ଆଜି ପର୍ଯ୍ୟନ୍ତ ଯେଉଁମାନେ କଂଗ୍ରେସର ଅଧ୍ୟକ୍ଷ ରହି ଆସିଛନ୍ତି ସେମାନେ ଆଦୌ ମୁଖ୍ୟମନ୍ତ୍ରୀ ନଥିଲେ । ଯଦି ତାଙ୍କୁ ସୁଯୋଗ ମିଳିବ ତେବେ ସେ କଂଗ୍ରେସ ଅଧ୍ୟକ୍ଷ ପଦ ଲାଗି କାମ କରିବେ ।

ଗେହଲଟ ଆଶା ରଖିଥିଲେ ଅଧ୍ୟକ୍ଷ ପଦ ସହିତ ମୁଖ୍ୟମନ୍ତ୍ରୀ ପଦବି ମଧ୍ୟ ରଖିବେ । କିନ୍ତୁ ତାଙ୍କର ଏହି ଆଶାକୁ ଶକ୍ତ ଝଟ୍‌କା ଲାଗିଛି । କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ସ୍ପଷ୍ଟ କରିଛନ୍ତି କି ଦଳରେ ଜଣେ ବ୍ୟକ୍ତି ଗୋଟିଏ ପଦରେ ରହିବେ । ଏହା ଯେଭଳି କଡାକଡି କାର୍ଯ୍ୟକାରୀ ହେବ ତାହା ସୁନିଶ୍ଚିତ କରିବାକୁ ସେ ଦଳର ନେତାମାନଙ୍କୁ କହିଛନ୍ତି ।

ଭାରତ ଯୋଡୋ ଯାତ୍ରାରେ ସାମିଲ ଥିବା ରାହୁଲ କୋଚିରେ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ଅଧ୍ୟକ୍ଷ ପଦ ଦାବିଦାରଙ୍କୁ ସ୍ପଷ୍ଟ ସନ୍ଦେଶ ସହିତ କିଛି ପରାମର୍ଶ ଦେଇଛନ୍ତି । କହିଛନ୍ତି କଂଗ୍ରେସର ଉଦୟପୁର ଅଧିବେଶନ (ଚିନ୍ତନ ଶିବିର)ରେ ‘ଜଣେ ବ୍ୟକ୍ତି ଏକ ପଦ’ ନେଇ ଆମେ ଯେଉଁ ନିଷ୍ପତ୍ତି ନେଇଥିଲୁ, ତାହା କାଏମ ରହିବ । କଂଗ୍ରେସ ଅଧ୍ୟକ୍ଷ କେବଳ ଏକ ସାଙ୍ଗଠନିକ ପଦ ନୁହେଁ, ଏହା ଏକ ଆଦର୍ଶଗତ ପଦ ଓ ବିଶ୍ୱାସ ବ୍ୟବସ୍ଥା । ଯେକେହି ବି କଂଗ୍ରେସ ଅଧ୍ୟକ୍ଷ ହୁଅନ୍ତୁ ନା କାହିଁକି ତାଙ୍କୁ ମନେ ରଖିବାକୁ ପଡ଼ିବ ଯେ ସେ ଏକ ଐତିହାସିକ ସ୍ଥାନ ନେଉଛନ୍ତି ।

ଭବିଷ୍ୟତର କଂଗ୍ରେସ ଅଧ୍ୟକ୍ଷଙ୍କୁ ବିଚାରର ଏକ ସମୂହ, ବିଶ୍ୱାସର ଏକ ବ୍ୟବସ୍ଥା ଓ ଭାରତର ପରିକଳ୍ପନାକୁ ପ୍ରତିନିଧିତ୍ୱ କରିବାକୁ ହେବ ବୋଲି ରାହୁଲ କହିଛନ୍ତି । ପୂର୍ବରୁ ଗେହଲଟ କହିଥିଲେ କି ମନୋନୟନ କ୍ଷେତ୍ରରେ ଦୁଇଟି ପଦବି ଧରାଯିବ । କିନ୍ତୁ ଅଧ୍ୟକ୍ଷ ନିର୍ବାଚନ ଖୋଲାଖୋଲି ହେଉଛି । ଏଥିରେ ୯ ହଜାର ପିସିସି ସଦସ୍ୟଙ୍କ ମଧ୍ୟରୁ ଯେକେହି ପ୍ରତିଦ୍ୱନ୍ଦ୍ୱିତା କରିପାରିବେ । ସେ ବିଧାୟକ ହୁଅନ୍ତୁ, ସାଂସଦ ହୁଅନ୍ତୁ କିମ୍ବା ମନ୍ତ୍ରୀ । ଯଦି ଜଣେ ମନ୍ତ୍ରୀ ଅଛନ୍ତି ତେବେ ସେ କଂଗ୍ରେସ ମୁଖ୍ୟ ପଦରେ ରହିପାରିବେ ବୋଲି ଗେହଲଟ କହିଥିଲେ ।

କିନ୍ତୁ ରାହୁଲଙ୍କ ସ୍ପଷ୍ଟ ସନ୍ଦେଶ ପରେ ୭୧ ବର୍ଷୀୟ ଗେହଲଟ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି । କିନ୍ତୁ ତାଙ୍କର ଆଶଙ୍କା ରହିଛି କି ସେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଲେ ତାଙ୍କ ବିରୋଧୀ ଭାବେ ଜଣାଶୁଣା ସଚିନ ପାଇଲଟଙ୍କୁ ଏହି ପଦ ମିଳିଯିବ । ୨୦୨୦ରେ ସଚିନଙ୍କ ବିଦ୍ରୋହ ଯୋଗୁ ଗେହଲଟଙ୍କ ସରକାର ଭାଙ୍ଗିବା ସ୍ଥିତିକୁ ଆସିଥିଲା । ଗେହଲଟଙ୍କ ସ୍ଥାନରେ ମୁଖ୍ୟମନ୍ତ୍ରୀ ହେବାର ପାଇଲଟ ମଧ୍ୟ ଦୃଢ଼ ଦାବିଦାର । କିନ୍ତୁ ଗେହଲଟ ବର୍ତ୍ତମାନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରାଇବାକୁ ଚାହୁଁନାହାନ୍ତି । ସେଥିପାଇଁ ସେ ବିଧାନସଭା ବାଚସ୍ପତି ସି.ପି ଯୋଶୀଙ୍କ ନାମ ମୁଖ୍ୟମନ୍ତ୍ରୀ ପଦବି ପାଇଁ ସୁପାରିସ କରିଛନ୍ତି ।

ଗତକାଲି ସେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିବା ବେଳେ ଏଭଳି ପ୍ରସ୍ତାବ ଦେଇଥିବା କୁହାଯାଉଛି । ଯଦି ଗେହଲଟ କଂଗ୍ରେସ ଅଧ୍ୟକ୍ଷ ହୁଅନ୍ତି ତଥାପି ସେ ରାଜ୍ୟ ବଜେଟ ଆଗତ କରିବା ଲାଗି ଆସନ୍ତାବର୍ଷ ଫେବ୍ରୁଆରୀ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପଦରେ ରହିବେ । ଗେହଲଟ ଓ ଯୋଶୀଙ୍କ ଭିତରେ ଉତ୍ତମ ସମ୍ପର୍କ ରହିଛି । ୨୦୨୦ ଜୁନ୍‌ରେ ଗେହଲଟଙ୍କ ସରକାର ବଞ୍ଚାଇବାରେ ଯୋଶୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ

Related Posts