
ଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନକୁ ନେଇ ଏବେ ରାଜନୀତି ସରଗରମ ଥିବା ବେଳେ, ରାହୁଲ୍ ଗାନ୍ଧୀ ନିର୍ବାଚନ ଲଢିବା ନେଇ ଏକ ପ୍ରକାରର ଦାବି ହୋଇଆସୁଥିବା ବେଳେ, ନିର୍ବାଚନକୁ ନେଇ ପୁଣି ଥରେ ମୁହଁ ଖୋଲିଛନ୍ତି ରାହୁଲ ଗାନ୍ଧୀ । ଗୁରୁବାର କେରଳରେ ସାମ୍ବାଦିକଙ୍କ ସହିତ କଥାବାର୍ତ୍ତା ହେବା ସମୟରେ ରାହୁଲ ଗାନ୍ଧୀ ଏହା ସ୍ପଷ୍ଟ କରିଛନ୍ତି ଯେ, ସେ କଂଗ୍ରେସର ଆଗାମୀ ଅଧ୍ୟକ୍ଷ ନିର୍ବାଚନ ଲଢିବେ ନାହିଁ । ତେବେ ୨୦୧୯ ନିର୍ବାଚନର ପରାଜୟ କାରଣରୁ ସେ ପାର୍ଟି ଅଧ୍ୟକ୍ଷ ପଦ ଛାଡି ଦେଇଥିଲେ । ଏହାପରେ କୌଣସି ଅଣଗାନ୍ଧୀ ଲୋକ କଂଗ୍ରେସ ଅଧ୍ୟକ୍ଷ ପଦ ସମ୍ଭାଳନ୍ତୁ ବୋଲି ସେ କହି ଆସୁଛନ୍ତି । ହେଲେ ରାହୁଲଙ୍କୁ ପୁଣିଥରେ କଂଗ୍ରେସ ଅଧ୍ୟକ୍ଷ ପଦ ସମ୍ଭାଳିବାକୁ ଅନୁରୋଧ କରିଆସୁଛନ୍ତି କଂଗ୍ରେସ କର୍ମୀ ଓ ନେତା ।
ଗତ ୩ ବର୍ଷ ହେଲା କଂଗ୍ରେସର ତମାମ୍ ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କୁ ମନେଇବାରେ ଲାଗିଛନ୍ତି । ହେଲେ ତମାମ ଚେଷ୍ଟା ସତ୍ତେ୍ୱ ମଧ୍ୟ ରାହୁଲ ଗାନ୍ଧୀ ତାଙ୍କ କଥାରୁ ଓହରି ନାହାଁନ୍ତି । ତେବେ କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ନେଇ ଘୋଷଣା ପରେ ଏବେ ଅନେକ ରାଜ୍ୟରୁ କଂଗ୍ରେସ ନେତାମାନେ ପୁଣିଥରେ ରାହୁଲଙ୍କୁ ଅଧ୍ୟକ୍ଷ କରିବାକୁ ପ୍ରସ୍ତାବ ମଧ୍ୟ ପାରିତ କରିଛନ୍ତି ।
ଗୁରୁବାର ରାହୁଲ ଗାନ୍ଧୀ ଅଧ୍ୟକ୍ଷ ପଦକୁ ନେଇ ହେଇଥିବା ପ୍ରଶ୍ନର ଉତ୍ତର ଦେଇଥିଲେ । ଆଉ କହିଥିଲେ, ମୁଁ ମୋ ପୁରୁଣା କଥାରେ କାଏମ୍ ଅଛି । ମୁଁ ଅନେକ ଥର ଏହି କଥାକୁ ଦୋହରେଇ ସାରିଲିଣି । କଂଗ୍ରେସ ଅଧ୍ୟକ୍ଷ ପଦ ଏକ ଐତିହାସିକ ପଦ । ତା ସହିତ ଏହା ଏକ ବୈଚାରିକ ପଦ ମଧ୍ୟ । ତେଣୁ ଯେ କୌଣସି ବ୍ୟକ୍ତି କଂଗ୍ରେସ ଅଧ୍ୟକ୍ଷ ହେବେ, ସେ କଂଗ୍ରେସର ବିଶ୍ୱାସ ଓ ବିଚାରଧାରାର ପ୍ରତିନିଧିତ୍ୱ କରିବେ ।
ଅନ୍ୟପଟେ ଜଣେ ବ୍ୟକ୍ତି ଗୋଟିଏ ପଦକୁ ନେଇ ରାହୁଲ ଗାନ୍ଧୀଙ୍କୁ ଆଜି ସାମ୍ବାଦିକ ମାନେ ପ୍ରଶ୍ନ କରିଥିଲେ । ଏହାର ଉତ୍ତର ଦେଇ ରାହୁଲ କହିଥିଲେ ଯେ, ଉଦୟପୁରରେ ଯାହା ନିଷ୍ପତ୍ତି ହେଇଛି, ତାକୁ ସମସ୍ତେ ପାଳନ କରିବେ । କଂଗ୍ରେସରେ ହିଁ ଅଧ୍ୟକ୍ଷ ପଦ ନିର୍ବାଚନ ହୁଏ, ଯାହାକି ଅନ୍ୟ କୌଣସି ପାର୍ଟିରେ ହୁଏନି ବୋଲି ରାହୁଲ ଗାନ୍ଧୀ କହିଛନ୍ତି ।
ସୂଚନାଯୋଗ୍ୟ ଯେ, କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ଆଜି ଅଧିସୂଚନା ଜାରି କରାଯାଇଛି । ଆସନ୍ତା ୨୪ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ ପ୍ରକ୍ରିୟା ଚାଲିବ । ଏହାପରେ ନାମାଙ୍କନ ପତ୍ରର ଯାଞ୍ଚ କରାଯିବା ସହିତ ନାମାଙ୍କନ ଫେରସ୍ତ ଓ ଅକ୍ଟୋବର ୧୭ ତାରିଖରେ ନିର୍ବାଚନ ହେବ । ଏହାର ଫଳାଫଳ ଆସନ୍ତା ଅକ୍ଟୋବର ୧୯ ତାରିଖରେ ଘୋଷଣା କରାଯିବ ।ତେବେ କିଏ କିଏ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲଢିବେ ତାକୁ ନେଇ ମଧ୍ୟ ସସପେନ୍ସ ଜାରି ରହିଛି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସହିତ ପାର୍ଟିର ବରିଷ୍ଠ ନେତା ଶଶୀ ଥରୁର, ସାଂସଦ ମନୀଷ ତିୱାରୀ ଏହି ରେସରେ ଅଛନ୍ତି