ନୂଆଦିଲ୍ଲୀ: ମହାମାରୀ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି । ତେବେ ଘରକୁ ଫେରିଥିବା ବେଳେ ଏବେ ଇଡିରେ ହାଜର ହେବା ପାଇଁ ଅଧିକ ସମୟ ମାଗିଛନ୍ତି।
ଆସନ୍ତାକାଲି ତାଙ୍କୁ ନ୍ୟାଶନାଲ ହେରାଲ୍ଡ ମାମଲାରେ ଜେରା କରିବାକୁ ଇଡି ନୋଟିସ କରିଥିଲା। ହେଲେ ସେ ସୁସ୍ଥ ହୋଇଥିଲେ ମଧ୍ୟ କରୋନା ଯୋଗୁ ତାଙ୍କ ଫୁସଫୁସରେ ସଂକ୍ରମଣ ହୋଇଥିଲା। ଏହା ସ୍ୱାଭାବିକ ହେବା ପାଇଁ କିଛି ସପ୍ତାହ ଲାଗିବ। ସେ ଯାଏ ଜେରା ପ୍ରକ୍ରିୟାକୁ ସ୍ଥଗିତ ରଖିବାକୁ ସୋନିଆ ଚାହୁଁଛନ୍ତି। ଏଥିପାଇଁ ସେ ଆଜି ଇଡିକୁ ଚିଠି ଲେଖିଛନ୍ତି।
କଂଗ୍ରେସ ନେତା ଜୟରାମ ରମେଶ ଏ ସମ୍ପର୍କରେ ଟ୍ୱିଟ କରି କହିଛନ୍ତି, “କରୋନା ଓ ଫୁସଫୁସ ସଂକ୍ରମଣ ପାଇଁ ତାଙ୍କୁ(ସୋନିଆ ଗାନ୍ଧି) ଘରେ ସଂପୂର୍ଣ୍ଣ ବିଶ୍ରାମ ନେବାକୁ ହସ୍ପିଟାଲ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଆଜି ଇଡିକୁ ଚିଠି ଲେଖି ସଂପୂର୍ଣ୍ଣ ସୁସ୍ଥ ହେବା ଯାଏ ପଚରାଉଚରା କାର୍ଯ୍ୟକ୍ରମକୁ କିଛି ସପ୍ତାହ ସ୍ଥଗିତ ରଖିବାକୁ କହିଛନ୍ତି।”
ଜୁନ ୨ରେ ସୋନିଆ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହାର କିଛି ଦିନ ପରେ ସେ ଅଧିକ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଦିଲ୍ଲୀର ସାର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
